Unknown

ବନବିହାର ଚମ୍ପୂ

ବିହାରି ଦାସ ମହନ୍ତ

 

ରାଗ ରେଗୁପ୍ତ ତାଳ ଆଠତାଳି I

(ସଙ୍ଗୀତ ସୁଧାନିଧିର, ଜଣାଥିଲା କି ମତେ ଏ ରୀତିରେ I ଏ ରାଗରେ ଯୋଡା ହୋଇଅଛି I )

କହୁଛନ୍ତି ଦୁତି କରଧରି ଯେ I

କଦମ୍ବ ମୂଳରେ କାଳିନ୍ଦିତୀରରେ ଦେଖିଲି ମୁଁ ବେଣୁଧାରୀ I ଘୋଷା

କଲାବେଳୁ ଉପଲକ୍ଷ ତାହାଙ୍କୁ I ଦୁଲ୍ଲୁକି ଉଠଇ ଯେ ମୋର ବୁକୁ I

କଲି ସେ କାମନା ବଳାଇ ଭାବନା ହୃଦୟ ହେଉଛି ଘାର ଯେ I ୧ I

 

କଞ୍ଚମୁଖ କି ଶୋଭା ପାଉଛି I କଣ୍ଠଦେଶରେ କମ ରହିଛି I

କଲି ମୁଁ ବିଚାର ଅନଙ୍ଗ ଶରୀର ଧରି ଆସିଲା କି ଫେରି I ୨ I

କନ୍ଦରିରେ ଥିବ ଯେଉଁ ନାୟିକା I କାଳେ ଦେଖି ସେ ଭଜିବ ରାକା I

କିଶୋରୀ ମାତ୍ରକେ କେହି ନ ବଞ୍ଚିବେ I ତାଙ୍କ ଠାରେ ଯିବେ ସରି I ୩ I

 

କହିତ ନୁହଇ ସେହି ରୂପ I କରିଥିବ ଯେଉଁ ନାରୀ ତପ I

କରି ପରିରମ୍ଭ ମୁଖେ ଦେବ ଚୁମ୍ବ I ଲଭିବ ସେ ସୁଖଶରୀ I ୪ I

କରୁଥିଲେ ତହିଁ ବଂଶୀସ୍ଵନ I କର୍ଣ୍ଣେ ପଡିଲା ମୋ ନାମଗାନ I

ତେତିକି ବେଳୁଁ ମୋ ତନୁ ଥରୁଅଛି କାମେ ଦେହ ହୁଏ ଘାରି I ୫ I

 

କହିବୁ ଯାଇଁ ତହିଁ ଏତିକି I କେମନ୍ତେ ଲଭିବି ଶ୍ୟାମ ପ୍ରୀତିକି I

ରାଧିକା କହନ୍ତି ଦୁତିକା ଆଗରେ ଶ୍ୟମଭାବ ହୃଦେ ଧରି I ୬ I

କଲି ଗୀତପ୍ରବନ୍ଧେ ମୁଁ ପ୍ରକାଶ I କୃଷ୍ଣ ରାଧାଙ୍କ ବିନୋଦ ଏ ରସ I

କରିଣ ସେ ତାଶ ମୁଁ ବିହାରୀ ଦାସ ଅଛି ପାଦେ ଅନୁସରି I ୭ I

 

ରାଗ ପରଜ ତାଳ ଝୁଲା I

ଖଞ୍ଜଣୀଟ ନୟନା I କଲୁ ଯହିଁ କାମନା I

ତା ସ୍ନେହେ ତୁ ଅଧିନା ହୋଇଲୁ ମା I ଘୋଷ I

ଖଣ୍ଟ ପରି ସେ ଜଣେ I ଭଲ କରି ମୁଁ ଜାଣେ I

ଭ୍ରମାଇ ନାଗରୀଙ୍କୁ ରହିଛି ମା I

ଖିଆଲ ପରି କଲୁ I ଜାଣି ତା ନ ପାରିଲୁ I

ତା ମୁହଁକୁ ଚାହିଁଲୁ କାହିଁକି ମା I ୧ I

 

ଖାଣ୍ଡବରେ ଭ୍ରମଣ I ନିଶି ଦିବସ ଜାଣ I

ଚାହିଁ ନାଗରି ଗଣ ରହେ ସେ ମା I

ଖଳଜନଙ୍କ ପରି I ବିଚାର ହୃଦେ ଧରି I

ଏତେକଳେ ତୁ ଗୋରି ବହିଲୁ ମା I ୨ I

 

ଖାଇଲୁ କି ଗଞ୍ଜାଇ I ଜ୍ଞାନ ଦେଲୁ ହଜାଇ I

ନ ବୁଝି ଗଲୁ ତହିଁ କାହିଁକି ମା I

ଖଣ୍ଡିଲୁ ତୁ ସ୍ଵମାନ I ବହିବୁ ଅପମାନ I

ପାଇ ନିନ୍ଦାଭୂଷଣ ଏହି କି ମା I ୩ I

 

ଖଡ୍ଗ ଧାରରେ ତୋର I ଶୟନ କରବାର I

ଘଟିଲା ଏ ବିଚାର ପାଇକି ମା I

ଖେଦ ପାଇଲୁ ଧନ I ଖଣ୍ଡିବ କେତେ ମାନ I

ପାଇବୁ ଯେ ଦୂଷଣ ସେହି କି ମା I ୪ I

 

ଖଦ୍ୟୋତ ଜୀବ ପରି I ଦାଶ ତବ ବିହାରୀ I

ଖଟିବା ତୀଶା ଧରି ରହିଛି ମା I

ଖଣ୍ଡବାଣୀ ଦୂତୀର I ଖଣ୍ଡନ ରାଧାଙ୍କର I

ପ୍ରତି ଉକ୍ତି ବେଭାର କହିଛି ମା I ୫ I

 

ରାଗ ସାବେରି ତାଳ ଠତାଳି I

ଗଜ ଗତିରେ ଗତି ନାହିଁ ମୋ ନଦେଖି ସେ ଶ୍ୟାମମୂର୍ତ୍ତି ରେ I ଘୋଷା I

ଗାତ୍ର ଝସକେତୁ ଦେଲା ଦହି I ଗାଢେ ପ୍ରଳୟ ଭଜିଣ ମୁହିଁ I

ଗଣ୍ଠିଧନ ଜାଣି ତୁ ମୋ ସ୍ନେହୀ I ଗୋଳିତା ନରଖି ଧନ କହେ ତୋ କତିରେ I ୧ I

ଗ୍ରହବର ବୁଝାଇଲେ ମତେ I ଗରୁ ତାପ ବଢଇ ନିରତେ I

ଗରଳ ସ୍ଵାଦୁ ମଣିଲି ଚିତେ I ଗନ୍ତବ୍ୟ ପାଇଁ କି ବନ୍ଧୁ ଦିତା ତୋ ମତିରେ I ୨ I

 

ଗତି କରୁଛି ମୋର ନୟନ I ଗହନ ନିକୁଞ୍ଜ ଶୋଭାବନ I

ଗିରି ଟେକା ହୁଅନ୍ତି ଦର୍ଶନ II ଗୋରୀ ଗ୍ରବାହାର ନେଇ ଲଗାଅ ପ୍ରୀତିରେ II

ଗଦ୍ ଗଦ ହୋଇଣ ତୁହି ଧନ ଆଇ II ଗମିବା ହୃଦୟେ କରି ଧ୍ୟାନ I

ଗଭୀର ହୃଦୟା ତୁ ମୋ ଜାଣ ଗତି I ମାଗୁଛି ବିହାରୀ ଦାଶ ନୀତିରେ II

 

ରାଗ କାମୋଦୀ ଆଠତାଳି I

ଘଟକୁ ଘଟାଇବାକୁ ତୋ ପ୍ରୀତି I

ଘୃମିତ ନୟନୁ ଘନରସ ବହେ ଦେଖି ଘାଣ୍ଟି ହୁଏ ମୋ ମତି I ଘୋଷା I

ଘେନାଇ କହିଲି ନ ଘେନିଲୁ ବାଳି ଘୋଷଣା ଫେରିବ କ୍ଷିତି I

ଘୋଲାରେ ମରିବି ଅବଶ୍ୟ ମୁଁ ଯିବି ଘନଶ୍ୟାମରସେ କତି I ୧ I

 

ଘୃତ ଘଟ ପୂର୍ଣ୍ଣ ଅଗ୍ନି ପାଖେ ପୁଣ ରଖିବାର କଲୁ ମତି I

ଘଟିଲା ଅନନ୍ତ ଶିଖା ପ୍ରଜ୍ଵଳିତ ତରଳାଇଲା ତୋ ଛାତି II

ଘେନାଇବା ପରି କହିବି ମୁଁ ଗୋରି I ଘଟିବା ପରି ତୋ ପ୍ରୀତି I

ଘନପୀନସ୍ତନା ଣ ହୁଅ ବିମନା I ସ୍ଥିର କର ତୋର ମତି I ୩ I

 

ଘାରି ନୁହଁ ବାଳି ଦୂତିକା ଯେ ବଳି ବୃଷଭାନୁ ଜେମାକତି I

ଘନ ଶ୍ୟାମ ରାଧା ପାଦେ ରଖି ଶ୍ରଦ୍ଧା ବିହାରୀ ଦାଶ ଉକତି I

 

ତାଳ ଝୁଲା I

ନବରଙ୍ଗିନୀ ଦୁତୀ କୃଷ୍ଣ ସନ୍ନିଧାନେ I ଯିବାକୁ ସେ ଭାବିବସେ ନିଧୁବନ ଯେ ସ୍ଥାନେ I ଘୋଷା I

ନୀଳପଟ କଟି ତଟ, ପିନ୍ଧ ସୁଘଟନେ I ନାନାଦି କମ ଖଞ୍ଜିଲେ ସ୍ଵାଭାବିକ ମନେ II

ନିର୍ଦ୍ଦେଶକ ରାଧା ଦେଖ,ହୋଇଛି ଏ ସ୍ଥାନେ I ନିର୍ମଦପଦକୁ ବହିଯାଏ କୁଞ୍ଜବନେ I ୨ I

ନିଶ୍ଚୟକ ଦୁତୀ ଦେଖ,ନିଉଛାଳି ଧ୍ୟାନେ I ନାଗବଳ୍ଳୀ ଦୂର୍ବାଦଳ ତଣ୍ଡୁଳ ବେଷ୍ଟନେ I ୩ I

 

ନବରସ ଭାବବଶ, ଦୁତି ବହିମନେ I ଘରୁ ବାହାର ହୋଇଲେ ନିଷଦମାର୍ଗଣେ I ୪ I

ନିଃଶଙ୍କ ହୋଇଣ ଚଳେ ପାଇବା ଦର୍ଶନେ I ନମିଲା ବିହାରୀ ଦାସ ରହି ସେହି ସ୍ଥାନେ I ୫ I

 

ରାଗ କଲ୍ୟାଣ ଏକତାଳ I

ଚନ୍ଦ୍ରମା ମୁଖୀ ଦୁତିରେ I ଚତ୍ରାଙ୍ଗୀ ଗତିରେ I ପଦ I

ଚିତ୍ର ପ୍ରସାଦ ଧରି ତକ୍ଷୁଷ୍ୟ ଯେ ହରି I ଚଟୁଳ ବେଶେ ଯେ ଗୋପୀ ସଙ୍ଗେ ବିହରି I

ଚିତ୍ତରେ ଦୁତି ଭାଷେ ଚଞ୍ଚକିପରି I ଏ ସେହିମତି I ୧ I

ଚଞ୍ଚଳ ଯାଇ ଚରଣରେ ସେ ଯେ ପଡି I ଚତୁରୀ ଚାରୁଜଳ ପୟରେ ନିଉଡି I

ଚାରୁ ଚନ୍ଦ୍ରିକା କୁସୁମ ଦେଲେ ସଜାଡି I ସେ ଆନନ୍ଦ ମତି I ୨ I

 

ଚାହିଁ ମୁଖ ପାଇ ସୁଖ ତାମ୍ବୂଳ ଯେ ଦେଲେ I ଚେତନା ପାଇ ଦୂର୍ବା ତଣ୍ଡୁଳ ବିଞ୍ଚିଲେ I

ଚେଟୀ ହୋଇ ଅନୁସରିଛି ମୁଁ ପାଦ ମୂଳେ I ହେ ଚୈତନ୍ୟ ମୂର୍ତ୍ତ I ୩ I

ଚୀର ଲମ୍ବାଇଣ ଗଳେ ଦଣ୍ଡବତ କଲେ I ଚାରୁମୁଖୀ ଚତୁରାକ୍ଷେ ହାସ ପ୍ରକାଶିଲେ I

ଚମୁଚାର ବିହାରୀ ଦାସ ତହିଁ ମିଳେ I ଦେଖେ ସେ ମୂର୍ତ୍ତି I ୪ I

 

ରାଗ ଆରବି I ଆଦିତାଳ I

ଛଇଳ ନାଗର କାହ୍ନୁ ଭ୍ରମ କି ରଙ୍ଗେ I ଘୋଷା I

ଛଇଳି ମାନଙ୍କ ସଙ୍ଗେ I

ଛକା ଛକି ହୁଅ ରଙ୍ଗେ I

ଛଟକ ଶୋଭା ତ୍ରିଭାଙ୍ଗେ I

ଛିଡା ସରାଗେ I ଝୁମ୍ପା I

ଛାଡି ଦେଇଛ ମାନ I

ଛଳି କରି ବର୍ତ୍ତନ I

ଛବି ଦିଶେ ମଳିନ I

ଛବି ଭାବି ମନ I

ଛଟପଟକୁ ଘେନ I

ଛାଡି କୁଳାଭିମାନ I

ଛଦ୍ମରେ ମୋହଲ ନାଟ ବିବିଧ ରଙ୍ଗେ I ୧ I

 

ଛାଡିଛ ରାଧା ସେ ଗୋରୀ I

ଛବି ଦେଖିଣ କିଶୋରୀ I

ଛାତି ଦକ ବହିକରି I

ଛାତି ବିଦାରି I ଝୁମ୍ପା I

ଛଟକକାନ୍ତି ବାଳା I

ଛବି ଯାଉ ମାଧୁରୀ I

ଛନ୍ଦ ବହି ହୃଦ ତାର I

ଛାଡିବ ସେ କିପରି I

ଛନୁରେ ରହି ହରି I

ଛିଞ୍ଚାଡେ କମ ଧରି I

ଛଇଳ ନାଗର ଚାହିଁ ଯେ ଅନୁରାଗେ I ୨ I

 

ଛଞ୍ଚିଲା ହର ଭଗାରି I

ଛାଡିଛି ସେ ସୁଖଶିରୀ I

ଛଟାଭା ରୂପ ମାଧୁରୀ I

ଛଇଳ ଗୋତି I

 

ଝୁମ୍ପା I ଛବି ତା ହୃଦୟରେ I

ଛାଇ ପ୍ରାୟେ ଜଡିଛି ଛିଣ୍ଡାଇ ସେ ନପାରେ I

ଛୁରୀ ପରି କାଟୁଛି I

ଛନ୍ଦି ହୋଇ ଅନଙ୍ଗେ ଛବି ତୁମ୍ଭ ଚାହୁଁଛି I

ଛଇଳ ନାଗରବର ଚାହିଁ ସୁରଙ୍ଗେ I ୩ I

 

ଛଳିବା କଥା ଶିଖିଲ I

ଛଳ କର୍ମ ଆଚରିଲ I

ଛପିବା ଗୁଣ ବହିଲ I

ଛନ୍ଦକୁ କଲ I ଝୁମ୍ପା I

ଛନ୍ଦାନୁବର୍ତ୍ତୀ ଗୋରୀ I

ଛନ୍ଦାନୁ ସାରିକରି I

ଛଳ ନାଶନାକାରି I

ଛଦ୍ମ ସ୍ଥାନକୁ ଧରି I

ଛନ୍ଦ ହୃଦୟେ ଭରି I

ଛନ୍ଦନ ହୋଇକରି I

ଛତ୍ରଭଙ୍ଗ ପ୍ରାୟ ହୋଇ I

ରହେ ନୁରାଗେ I ୪ I

 

ଛାଡିଲି କୁଳାଭିମାନ I

ଛନ୍ଦାନୁବର୍ତ୍ତୀ ହୋଇଣ I

ଛତ୍ଵରକୁ ଆସି ପୁଣ I

ଛଟା ଦେଖିଣ I ଝୁମ୍ପା I

ଛଳିବା କଥା ନବୁଝ I

ଛାଡି ମାନ କହିଲି I

ଛିଣ୍ଡିବ ଅନୁରାଗ I

ଛିଣ୍ଡୁ ନାହି ବୋଇଲି I

ଛଇଲି ଅଳି ଧରି I

ଛିଦ୍ରାନ୍ଵେଷୀ ହୋଇଲି I

ଛଦ୍ମବେଶି କହ ବି ଯାଏ ମୁଁ ତା ଆଗେ I ୫ I

 

ଛନ୍ଦୋଗ କୃଷ୍ଣ ମୁରତି I

ଛଇଳି ଦୁତି ଭକତି I

ଛନ୍ଦସ ଗାନ କୀରତି I

ଛାନ୍ଦ ଭକତି I ଝୁମ୍ପା I

ଛେଉଣ୍ଡା ସେ ହୋଇଣ I

ଛେପକୁ ଅନାଇଛି I

ଛୁରିତ ଏ ସଂସାରେ ଛାୟାରୂପ ଚାହୁଁଛି I

ଛନିୟା କରି ଦେହ I

ଛିଣ୍ଡା ହୋଇ ରହିଛି I ଛାର ବିହାରୀ ଦାସ କହିଲା କି ଯୋଗେ I ୬ I

 

ରାଗ ଭୈରବୀ ତାଳ ତ୍ରିପୁଟା I

ଜାଣି ନ ପାରିଲି ମୁଁ ଦୁତି ଆରେ ସହି I

ଜାଣୁ ଜାଣୁ ଜଡ ପ୍ରାୟ ମୁଁ ହୋଇ I

ଜପମାଳା ପରି ସେ ମୋ ପ୍ରାଣଧନ I

କେମନ୍ତେ ମୁର୍ଚ୍ଛିବି ମୁହିଁ I ଘୋଷା I

 

ଜ୍ଵଳିତ ହୃଦୟେ ଚାହିଁଲୁ ସଦୟେ

ହିମକର ବାଣୀ କହି I

ଜୀବନ୍ୟାସ କଲୁ ଯାହା ତୁ ବୋଇଲୁ

ଜନ୍ମାନ୍ତରିଗଣ ସେହି I

 

ଯାହା ହୃଦେ ଥିଲା ଦଇବ ତା ଦେଲା

କର ଧରି କହେଁ ମୁହିଁ I

ଯାଇ ବୁଝାଇବୁ ଏତିକି କହିବୁ

ତା ପ୍ରେମରେ ବନ୍ଧା ତହିଁ I

 

ଜୀବଧନ ମୋର କରୁ ପରିକର

ଜନ୍ମାବିଛର୍ଣ୍ଣକୁ ଚାହିଁ I

ଜନ୍ମାନ୍ତର ଗଣ ହେବି ମୁହିଁ ପୁଣ

ଚାହିଁ ରହିଥିବି ତହିଁ I

 

ଜୀବନ୍ମୁକ୍ତ ସରୀ ନୋହିବ ସେ ଦୁଃଖୀ

ଶରଦ ଚନ୍ଦ୍ରମା ମୁହିଁ I

ଯିବି ତାର ପାଶ ନଧରିବ ଦୋଷ

କର ଧରୁଅଛି ମୁହିଁ I

 

ଜାଣିଅଛୁ ତାହା ଦୋଷ ଅଛି ଯାହା

କ୍ଷମା କରିବାକୁ ସେହି I

ଜୀବାତ୍ମା ସେ ମୋର ହେବି କି ଅନ୍ତର

ଯହିଁ ଥିବ ଯିବି ତହିଁ I ୫ I

 

ଜଡୀଭୂତ ହୋଇ ଭ୍ରମୁଅଛି ମୁହିଁ

ନ ଦେଖି ସେ ଚାନ୍ଦ ମୁହିଁ I

ଜତୁରସ ନେବି ପୟରେ ଲେଖିବି

ଦାସ ହୋଇଥିବି ଯାଇ I

 

ଜଣାଇଲି ଏତେ କି କହିବି ତୋତେ

କାଲି ପ୍ରବେଶ ମୁଁ ହୋଇ I

ଯାଇ ତୁ କହିବୁ ଦୁତି ବୁଝେଇବୁ

ଯାତ୍ରା ତୁ ମେଲାଣି ପାଇ I ୭ I

 

ଜୀବିକା ଏ ମୋର ସେ ପ୍ରଭୁ କିଙ୍କର

ଶରଣ ପଶି ତାଛହିଁ II

ଯୋଡି ବେନିକର ସେ ପ୍ରଭୁ ପୟର

ବିହାରୀ ଦାସ ଭାଷଇ I ୮ I

 

ରାଗ କାମୋଦୀ ଆଠତାଳି II

ଝଲକାଙ୍ଗୀ ଗୋରୀ ? ବୃଞ୍ଜ ହୃଦୟେ ହେଲା, ଉଡିଲା ରାଧାପରେ ମନ I ପଦ I

ଝଟ ଝଟ ତେଜ, ନିପଟ ନିସ୍ତେଜ,

ଝରିବା ବିଷୟେ ହେଲେ ସେ ଦହଯା I

ଝୁଙ୍କିବା ପ୍ରାୟେ ସେ ଦିଶେ ମୁଖ ଆଜ

ଝୁରି ପାଇଲେ କଷଣ I ୧ I

 

ଝିମି ଝିମି ହୃଦେ ଯନ୍ତ୍ରଣା ପାଇଲେ

ଝିମିଟିକୁ ଯୁଗ ପ୍ରାୟ ତା ମଣିଲେ I

ଝୁଟା କହି ଗୋପୀଙ୍କି ସେ ମୋହିଲେ

ଝଳା ବୋହେ ଘନ ଘନ I ୨ I

 

ଝଟିତ ଯିବାକୁ ଭାବିଲେ ସେ ମନ

ଝାଡ କୁଞ୍ଜରୁ ବାହାରିଲେ ଭୁବନ II

ଝାଡ ବିନୋଦିଆ ଶ୍ରୀନନ୍ଦନନ୍ଦନ

ଝଳିବା ମୁଖ ଶୋଭନ I ୩ I

 

ଝାଡି ହୋଇ ଅଙ୍ଗ ବସନ କୁସୁମ

ଝଲ୍ଲକ ଲାଗିଛି ରାଧାହୃଦ ଧାମ II

ଝାଙ୍କ ଧରି ଯିବା ଶୋଭା ଅନୁପମ

ଝଳି ତହିଁ ବଂଶୀସ୍ଵନ I ୪ I

 

ଝାଙ୍କ ଥିବା ସଖା ମାନେ ସଙ୍ଗତରେ

ଝରା କୁସୁମ ଖଞ୍ଜିଲେ ମସ୍ତକରେ II

ଝୁଲି ଚାଲି ଦେଖିବା ସେ ବିଷୟରେ

ବିହାରୀ ଦାସ ର ମନ I ୫ I

 

ରାଗ ପୁରବୀ ତାଳ ତ୍ରିପଟା II

ନଟ ସେ ନାଗର କାହ୍ନା ଢଳି ଢଳି ଚାଲି ଚାଲି I ପଦ I

ନନ୍ଦ କି ନିନ୍ଦିତ ହୋଇ I ନିର୍ମବ୍ଦ ଭାବ ସେ ବହି II

ନଉଡି ବୁଲାନ୍ତି ତହିଁ I ଢଳି ଢଳି ଚାଲି ଚାଲି II ୧ II

ନଭସ ସେ ଦେବ ଗଣ I ନୟନେ ସେ ଦେଖିପୁଣ I

ନିର୍ବିକଳ୍ପ ବନମାଳୀ I ଢଳି ଢଳି ଚାଲି ଚାଲି II ୨ II

 

ନିହନ୍ତା ଦୁଷ୍ଟଙ୍କ ସେହି I ନର ଲୋକେ ଭାବ ବହି I

ନବୀନ ମୁରତି I ଢଳି ଢଳି ଚାଲି ଚାଲି II ୩ II

ନମଃ ପ୍ରଭୁଙ୍କ ପୟର I ନିଉଛାଳି କରିବାର I

ନିଶୁଣି ଅଲି ମୋକ୍ଷର I ଢଳି ଢଳି ଚାଲି ଚାଲି II ୪ II

 

ନବ ରତ୍ନାଦି ଯେ ହାର I ନିନଦ ଶୋଭା ପ୍ରଚାର I

ନିରେଖନ୍ତି ସୁର ନର I ଢଳି ଢଳି ଚାଲି ଚାଲି II ୫ II

ନନ୍ଦ ମନ୍ଦିରେ ସେ ଯାଇ I ନନ୍ଦ ନନ୍ଦନ ଯେ ତହିଁ I

ନମିଲେ ମାତା ଅନାଇ I ଢଳି ଢଳି ଚାଲି ଚାଲି II ୬ II

 

ନବ ଦୂର୍ବାଦଳ ଆଣି I ନିଉଛାନ୍ତି ମାତା ଜାଣି I

ନିଜକର୍ମ କଲେ ପୁଣି I ଢଳି ଢଳି ଚାଲି ଚାଲି II ୭ II

ନିର୍ମଳ ଜଳକୁ ଆଣି I ନବପିଷ୍ଟ ସୁଦ୍ଧା ଘେନି I

ନେଇ ଭୁଞ୍ଜାନ୍ତି ସେ ରାଣୀ I ଢଳି ଢଳି ଚାଲି ଚାଲି II ୮ II

 

ନବ ଶଯ୍ୟାକୁ ନିର୍ମାଣି I ନିମଗ୍ନେ ଶୁଅଇ ପୁଣି I

ନବ କୁସୁମେ ବିଞ୍ଚଣି I ଢଳି ଢଳି ଚାଲି ଚାଲି II ୯ II

ନମିଲା ବିହାରୀ ଦାସ I ନିଗମ ନିଷ୍କାମ ଈଶ I

ନଉକରିରେ ମୋ ଆଶ I ଢଳି ଢଳି ଚାଲି ଚାଲି II ୧୦ II

 

ରାଗ ତୋଡି ପରଜ ଆଡତାଳି I

ଟାକି ରହିଛି ସେ ରାଧା ପରମ ସୁନ୍ଦରୀ I

ଟାଣି ବିନ୍ଧୁଥିବ ତାକୁ ମାର ଶର ରହିବ ସେହି କିପରି I ଘୋଷା I

ଟଙ୍କ ଧର ଅରି ହୋଇଣ ଭଗାରି ଦେହେ ବହିଥିବ ତାପ I

ଟାକି ରହିଥିବ ଚାହିଁ ମୋର ଭାବ କଲି ମୁହିଁ ଏହା ଅପ I ୧ I

 

ଟେକା ଟେକି କରି କହିବି ମୁଁ ଯାଇ ପ୍ରାଣଧନର ସେ ଆଗେ I

ଟମକ ଧ୍ୱନି କିଙ୍କିଣି ବାଯୁଥିବ ଶୁଣୁଥିବି ମୁଁ ସରାଗେ I ୨ I

ଟୋକିଟା ବେଳୁଁ ଅନୁସରି ମୁଁ ଅଛି କେବେ ମୁଁ ନୋହି ଅନ୍ତର I

ଟାହୁଲି କେତେ କରୁଥାଏ ସେ ମୋତେ ଚାହୁଁଥାଏ ମୁଖ ତାର I ୩ I

 

ଟମକ ଧ୍ୱନି ସଂସାରେ ହୁରି ହେଲା ରାଧାପାଇଁ ହଟହଟା I

ଟାଳି ନିଧୁବନ କଲି ମୁଁ ଶୟନ ନ ଚାହିଁ ସେ ମୁଖ ଛଟା I ୪ I

ଟାଙ୍କୁରିଲା ଲୋମ ଶ୍ରୀକୃଷ୍ଣ ମରମ ଭାଙ୍ଗିଗଲା ତହିଁ ନିଦ I

ଟାଉ ଟାଉ ହୋଇ ନିଦ ନ ମାଡଇ ହୃଦେ ବହିଣ ବିଷାଦ I ୫ I

 

ଟଳିଲା ରଜନୀ କମ୍ବୁ ଘୋଷ ଶୁଣି ତତ୍ପର ସେ ବେଣୁପାଣି I

ଟାଣି ରକୁବାଡି ସଙ୍ଗସଖା ଭିଡି ଗାବ ଦୁହନ୍ତି ସେ ପୁଣି I ୬ I

ଟାଳି କିଛିକାଳ ଯିବି ମୁଁ କେବଳ ବୃଷଭାନୁ ଯେମା ପାଶ I

ଟାକି ଯେ ନଥିବ ଗାବ ଚରାଇବ ମନେ ନ ବହିବ ରୋଷ I ୭ I

 

ଟଳ ଟଳ ମନ ଶ୍ରୀ ନନ୍ଦ ନନ୍ଦନ ଏହା କଲେ ସେଯେ ଭାଷ I

ଟାକି ରହିଣ ସେ ତାଙ୍କ ପାଦଘୋଷେ ଅଧମ ବିହାରୀ ଦାସ I ୮ I

 

ରାଗ ସରଟ ଆଠତାଳି I

ଠାଣି ବହି ତହିଁ ପୀତବାସ ସେ ପ୍ରେମବଶ I ଘୋଷା I

ଠୌର କରିଣ ହୃଦୟ I ଠିକଣା କଲେ ସଞ୍ଜୟ I

ଠୁଳ କରି ଦାସୀଚୟ I ଠଉରଉକୁ ଯିବାଶୟ I

ଠାକୁରାଣୀଙ୍କର ସେଯେ ପାଶ I ୧ I

 

ଠାର କରିଣ ମୁରାରି I ଠାରି ଦେଲେ ସେ କିଶୋରୀ I

ଠୁଳ ହେଲେ ପ୍ରେମେ ଭରି I ଠିଆ ଆସି ହେଲେ ଗୋରି I

ଠାବ କରି ଗଲେ ରାଧା ପାଶ I ୨ I

 

ଠୋକଚ ପାଇଣ I ଠିକା ତାର କାମ ବାଧା I

ଠଣ ଗୁଣରେ ତା ଶ୍ରଦ୍ଧା I ଠୋଷ କଥାରେ ସେ ବୋଧା I

ଠେକ ପାଇ ବିସ୍ମୟ ମାନସ I ୩ I

 

ଠିଆ ହେଲେ ରାଧା ପାଶ I ଠକ କଥା କଲେ ଭାଷ I

ଠଉରିବା କାହା ପାଶ I ଠାରିଣ ଦେଇ ଲାଳସ I

ଠରାଠରି କଲେ ସେ ପ୍ରକାଶ I ୪ I

 

ଠାର ସଙ୍ଗେ ବଂଶୀସ୍ଵନ I ଠ’କିବାରେ ପ୍ରାଣଧନ I

ଠୁଳ ଚନ୍ଦ୍ରମା କୁ ଘେନ I ଠଉର ମୋ ନାହିଁ ଜାଣ I

ଠିକେ ଏବେ ଆସିଲି ତୋ ପାଶ I ୫ I

 

ଠା ଦେଇ ରଖ କତି I ଠୋ କରି ଛିଣ୍ଡା ନା ପ୍ରୀତି I

ଠାଣିରେ କର ଉକତି I ଠୁକୁ ଠୁକୁ ହୁଏ ମତି I

ଠାବ ଜାଣି ଭାବ ପ୍ରେମେ ବଶ I ୬ I

 

ଠାକୁର ଶ୍ରୀ କୃଷ୍ଣ ଭାଷ I ଠାକୁରାଣୀ ରାଧା ପାଶ I

ଠୁଳେ କଲି ମୁଁ ଆଭାଷ I ଠିଆ ହୋପୀ ତାଙ୍କ ପାଶ I

ଠିକେ କହେ ମୁଁ ବିହାରୀ ଦାସ I ୭ I

 

ରାଗ ଦେଶାକ୍ଷ ତାଳ ତ୍ରିପଟା I

ଡେଙ୍ଗୁରା ବାଦ୍ୟ ବାଜୁଛି I କ୍ରିଡା ଛାଡିଦେଲେ ହରି I ଘୋଷା I

ଡର କି ନାହିଁ ହୃଦୟ I ଡିଆଁ ମାରୁଛ ଦୁଃସହ I

ଡଙ୍ଗର କର୍ମ କରି ସେ ଖୋଜୁଛି ଯେ ପର ନାରୀ I ୧ I

ଡାକୁ ନାଗରୀଙ୍କ ସଙ୍ଗେ I ଡାକିଜାଣ ନାନା ରଙ୍ଗେ I

ଡମ୍ଫା ରାଢେଣୀଙ୍କ ସଙ୍ଗେ I ଭ୍ରମ କିନା ଅନୁସରି I ୨ I

 

ଡାକରା କେହି ନକରେ I ଡାକି ବୁଲ ଘରେ ଘରେ I

ଡୁବନ ହୋଇ ତହିଁରେ I ପ୍ରେମେ ବଜାତା ବାଂଶରୀ I ୩ I

ଡାକ ଯାଇ ସେ ନାଗରୀ I ଡୁବିବ ଯେ ନ ବିଚାରୀ I

ଡାହାରେ ସେ ହେବ ଘାରି I କୁଳ ଲଜ୍ୟା ଛାଡିକରି I ୪ I

 

ଡୁଇ ହେବୁ ଯେ ନିଷ୍ଫଳେ I ଡକାଇତ ପରି କଲେ I

ଡିବି ଡିବି ବାଜିବ ଯେ I ମରୁଥିବୁଁ ଝୁରି ଝୁରି I ୫ I

ଡହକ କନକ ଗୋରି I ଡକା ଡକି ହୃଦେ ଧରି I

ଡୌଲ ଥିଲେ ସେ ତୁମ୍ଭରି I ରାଧା ଥାନ୍ତା ଅନୁସରି I ୬ I

 

ଡୋଳାରେ କୃଷ୍ଣଙ୍କୁ ଦେଖି I ଡାକି କହେ ରାଧା ସଖି I

ଡୁବିଲା ତୁମ୍ବ ଆଶାରେ I ବିହାରୀ ଦାସ ଭିକାରି I

 

ରାଗ ମୁଖାବରି ଆଠତାଳି I

ତାଳେ ଅନାଅରେ; ମିନନୟନି ମୋ ବାଳା I

ଢଗ ଢମାଳରେ କହିଣ ରାମାରେ ବ କାଟ ତୁ ମୋର ଗଳା I ଘୋଷା I

ଢୁକିଛି ପିୟୁଷ,ତୋର ପ୍ରେମରସ; କାହିଁକି କରୁ ନିରାଶ I

ଢଳାଇ ନ ମାର,ଆରେ ରାମା ବର; କରିଅଛି ମୁହିଁ ତାଶ I ୧ I

 

ତମ ନାହିଁ ମୋର,ଅଟେ ତୋ କୋୟର; ଯାହା ଇଛା ତାହା କର I

ଢେଉମାରେ କାମ, ଭାଙ୍ଗେ ମୋ ମରମ; ହୃଦୟେ କର ବିଚାର I ୨ I

ଢଙ୍ଗ ରଙ୍ଗ ମୋର, ଯାହା ଥିଲା ତୋର;ଆଗେ ଛାଡିଲି ରେ ସହି I

ଢଳ ଢଳ ମନ, ନାହିଁ ଆଉ ଧନ I ଢାଳି ଚାହାଁ ଚାନ୍ଦ ମୁହିଁ I ୩ I

 

ଢକା ସେ ବାଜିଲା, ବ୍ରଜେ ହୁରି ହେଲା; ରାଧା ପ୍ରେମଦାନୀ ହୋଇ I

ତୁକାଇଲା ରସ, ଶ୍ରୀକୃଷ୍ଣ ମାନସ; ହରିନେଲା ଏବେ କେହି I ୪ I

ତପ ନ କରୁଛି,ତୋ କର ଧରୁଛି; ଦୟାକର ପ୍ରେମ ଚାହିଁ I

ଢାଙ୍କୁଣୀ ତୁ ମୋର,ଦୋଷ କ୍ଷମା କର; ଭାଷି ଯାଉଛିରେ ସହି I ୫ I

 

ଢାଙ୍କି ଦିତା ମାନ, ନକର ଉଛନ୍ନ; ତେମଣ ମୁଁ ଯେବେ ହେଲି I

ଢଳିଗଳି ପାଦେ, ନ ଚାହିଁ ବିଷାଦେ; ଦୟାଶୀଳ ନବବାଳି I ୬ I

ତଳୁ ତଳୁ ନେତ୍ର, ଢଣା ପାଇ ଗାତ୍ର; ପ୍ରବେଶ ହେଲି ତୋ ପାଶ I

ତୁଲାଇବା ପରି, ହେଲି ଲୋ କିଶୋରୀ; କୁନ୍ଦଦନ୍ତୀ ରଖ ଦାସ I ୭ I

 

ଢଳି ପଡିଜିବି, ଏତେ ସରି ହେବି; କୁଟିବ ତୋର ମାନସ I

ଢମାଳିରେ କରି, ରାଧା କର ଧରି; ଶ୍ରୀକୃଷ୍ଣ କରନ୍ତି ଭାଷ I ୮ I

ଢାଳରେ ସୁନିର, ଧରି ଗନ୍ଧ ସାର; ସେଯେ ଯୁଗଳ ପୁରୁଷ I

ତୁକେ ସେ ପୟର,ଧୌତ କରି ନୀର; ପୂଜିଲା ବିହାରୀ ଦାସ I ୯ I

 

ରାଗ ଭୈରବୀ ତ୍ରିପଟା I

ନନ୍ଦ ନନ୍ଦନ କଛାଇ,ଜାଣିଛି ମୁହିଁ; ଜଟିଳ ଭାଷାକୁ କହି I ପଦ I

ନବନାଗରୀ ସଙ୍ଗେ I ବିହରି ନବରଙ୍ଗେ I ନେତ୍ର ଠାରେ ଅପାଙ୍ଗେ I ଭ୍ରମାଇ ନାନା ରଙ୍ଗେ I ପଡି I ନତ ହୋଇଣ I ନାଗରି ବିନାଶିଲ I ନଟକ ପ୍ରାୟେକ ହୃଦୟେ ଧଇଲ I ନନ୍ଦ କି ହେ କାହୁଁ ୟା ଶିଖିଲ I ନଭୋରେ ସୁମାୟା ରଚି ଯେ ବୁଲ I ୧ I

 

ନବ ବାଳ କାଳରୁ I ନିନ୍ଦକ ଗୁରୁ I ନିଧୁବନରେ ସୁଚାରୁ I ନିପଟ ଧୃତ ଗୁରୁ I ନିଲ୍ଲଜ ତୁମ୍ଭ ଠାରୁ I ନାଗରୀ ସେ ରମ୍ଭୋରୁ I ନିପ, ମୂଳରଠାରୁ I ପଡି I ନିଘ୍ନ କରିଣ I ନିଶ୍ଚୟ ନାରିଗଣ I ନିନ୍ଦିତ ହୋଇ I ନିୟମ ତେଜିଣ I ନିମିତ୍ତ ତେଜି I ନିର୍ବାସ କଲ ପୁଣ I ନିରଙ୍କୁଶ ଗୁଣ I ନୀତି ଆପଣ I ୨ I

 

ନାରୀଙ୍କ କୁଳ ନାଶିଲ I ନରେନ୍ଦ୍ର ହେଲ I ନିୟମକୁ ସେ ଛାଡିଲ I ନିମ୍ନୋନ୍ନତ ମୁଞ୍ଚଲ I ନିରବଧି ଭ୍ରମଲ I ନିରର୍ଗଳ ହେଲ I ନିରର୍ଥକ ଏ ଫଳ I ପଡି Iନିଶା ଭଜିଣ I ନିର୍ବାଦ ଘେନ I ନିର୍ବାଚ୍ୟ ହୋଇ I ହେଲ ନିର୍ବାଣ I ନିବ୍ୟାପ କହେ I ନିର୍ଶେପ ପୁଣ I ନିର୍ବଚନରେ I ନିମଗ୍ନ ଆପଣ I ୩ I

 

ନିଛାଟ ବନକୁ ଯାତ I ନିକୁଞ୍ଜେ ଥାଅ I ନବରଙ୍ଗେ ନିସଦୟ I ନାଗରି ରାଧା ଭାଷ I ନବୀନ କୃଷ୍ଣ ପାଶ ନମି ବିହାରୀ ଦାସ I ନର୍ମେ କଲା ପ୍ରକାଶ I ପଡି I ନତ ହୋଇଣ I ପାଦ ଧ୍ୟାୟିଣ I ସେ ପ୍ରଭୁନାମ I କରି କିର୍ତ୍ତନ I ହେଉ ନଥାଉ; ଥିବି ଯେତେ ଦିନ I ୪ I

 

ରାଗ ତୋଡି ପରଜ ଆଦିତାଳ I

ତୋର ବିନା I ତନୁ ତ୍ରସ୍ତରେ I ମୋ ଧନ I

ତବା ଧୀନ ହୋଇ ଚାହିଁ ଅଛି ମୁହିଁ

କର ଯେ ତତ୍ବାବଧାନ I ଘୋଷ I

ତତ୍ବାବଧାରକ ହୋଇ ମତେ ରଖ

ତଞ୍ଚକତା ତୁ ନ ଘେନ I

ତକ୍ରକ୍ରିୟ ମୁହିଁ ଟି ଚାହାଁ ରେ ତରାଟି

ତର୍ପିତ କର ତୋ ମନ I ୧ I

 

ତାଦାତ୍ମିୟ ତୁ ମୋର କରୁ କି ଅନ୍ତର

ତଥ୍ୟ କରି ଏହା ଜାଣ I

ତତ୍ଵାନୁସନ୍ଧାନ କରିଣ ତୁ ପୁଣ

ତଡିବାର କର ମନ I୨ I

 

ତୁ ତଣ୍ଡକ ନେତ୍ରୀ ତୁ ତଡିତ ଗାତ୍ରୀ

ତଣ୍ଟିଆ ନ କର ଧନ I

ତତ୍ ପୁରୁଷ ବୋଲି ଭାବ ଆରେ ଅଳି

ହାସ୍ୟାର୍ଣ୍ଣବ କର ଦାନ I ୩ I

 

ଦିଖାଇବା କଥା ଶୁଣି ହୃଦେ ବ୍ୟଥା

ପାଇ କହୁ ଏ ବଚନ I

ତେଜ ସେ କଥାକୁ ଟେକ ତୁ ମଥାକୁ

ତେଣ୍ଟାଇ ଗୁଣ ନ ଘେନ I ୪ I

 

ତୁଷ୍ଟି କର ମନ ରାଧା ସନ୍ନିଧାନ

ଶ୍ରୀକୃଷ୍ଣଙ୍କର ବଚନ I

ତୃଣIବର୍ତ୍ତ ଅରି ପାଦ ହୃଦେ ଧରି

ବିହାରୀ ଦାସ ଭାଷଣ I ୫ I

 

ରାଗ ଭୈରବୀ ଆଠ ତାଳି I

ଥୋବରା କୃଷ୍ଣ ହୋଇଣ କାହିଁକି ହେ ଏତେ ସରି I ଘୋଷା I

ଥୋଇଲି କେତେ ଅଛନ୍ତି I ଥାଅ ଯାଇ ତାଙ୍କ କତି I

ଥକାମରା ହୋଇ ଅତି I ଥନ୍ତରା ହେଲେ ମୁରାରି I ୧ I

ଥକି ଯିବାକୁ ଆସିଲ I ଥକାମରା କହିଁ ହେଲ I

ଥକା ରୂପକୁ ବହିଲ I ଥୟ ନାହିଁ ଯେ ତୁମ୍ଭରି I ୨ I

 

ଥର ଥର କଳେବର I ଥନ ଥନ ନେତ୍ର ଯାର I

ଥଟା ପ୍ରେମ ସୁମଧୁର I ଥଣ୍ଡାବାଣୀ କହିକରି I ୩ I

ଥଳ କୁଳ ଯେ ଛାଡ଼ିବ I ଥଙ୍ଗ ଅଙ୍ଗ ହୋଇ ଭାବ I

ଥୟ ସେ କାହୁଁ ପାଇବ I ଥମିବା କର୍ମ ଆଚରି I ୪ I

 

ଥୋକେ ରାଧା କଲେ ଭାଷ I ଥୋଇ ହୃଦୟେ ମାନସ I

ଥାଉ କୃଷ୍ଣ ପାଦେ ତାଶ I ବିହାରୀ ଦାସ ଭିଖାରି I ୫ I

 

ରାଗ କେଦାର ଗୌଡା ତାଳ ତ୍ରିପଟା I

ଦୁଖୀଧନ ଦଗ୍ଧିତ ନୁହଁ ମନ ଦୟାଳୁ ଚନ୍ଦ୍ରାନନ I ଘୋଷା I

ଦୀନ ଏଜନ ବୋଲି ଦୃଷ୍ଟିଦେଇ ରଖ ଆଳି ଜାଣରେ I

ଦୃଷ୍ଟି ବିକ୍ଷେପରେ ବନ୍ଧୁ ତୁ ମାନରେ I

ଦୁରୂହ କଥା ନକହି ମାନ I

ଦୁଞ୍ଜାଳ ହୃଦେ ବୋହି ବାରେ ତୁ ଘେନରେ I

ଦୁର୍ଦ୍ଦଶା ମୋର I ପଡି I

 

ଦୁର୍ଭାଗ୍ୟ ରୁ ତୁ ଜାଣ I

ଦୁର୍ଲଭ ତୋ ବଦନ I ଦୁର୍ଘଟଣା କୁ ବହି I

ଦୁରାଶା ନ କରିଣ I ଦାସ କୁ ରଖି ଘେନ I ରେ ଧନ I

ଦୟା ନ ବହିଲେ ଏବେ ଗଲାଟି ତ୍ରାଣ I ୧ I

 

ଦରିଦ୍ର ମୁ ଦେଇ ଦାନ I ଦୟା ରଖ ଅପଘନ I ମାନ ରେ I

ଦାନ ପତ୍ର ଦେଇ ରଖ ସୁଜାଣ ରେ I

ଦାସ କୁ ରଖିଣ କର ବିଚାର I

ଦହ୍ୟମାନ ହେଉଛି ଦେଖ କଳେବର I

ଦାରୁଣରେ ମୁଁ I ପଡି I

 

ଦମ୍ଫତି ପ୍ରେମ ଲୋଡି I ଦମ୍ଭ ନପାରେ ଛାଡି I

ଦମିତ ହେବ ବୋଲି I

ବ୍ରିଡା ମୂଳ ଉପାଡି I ଦୟା ତୁ ତିଳେ ବହି ଦେଖିବୁ ପ୍ରେମଧାଡି I ରେ ଧନ I

ଦୁର୍ଗତରୁ ବାରେ ହେଲେ ରଖ ଏ ଜୀବନ I ୨ I

 

ଦୃଷ୍ଟ ରଜା କାଳରୁ ଦୂଷଣ ପାଇବାକୁ ଜାଣରେ I

ଦୂରୀଭୂତ ନୋହେ ଧନ ଏହା ତୋ ମାନରେ I

ଦୁର୍ଲ୍ଲକ୍ଷ୍ୟ ହେବାରୁ I ହେଲି ମୁଁ ଦୁର୍ଲଭ I ଦୁର୍ବଚନ କହିଣ I

ବିନା ହେଉ ଅଭାବ I

ଦୟ ନ ଘେନ I ପଡି I

 

ଦକ୍ତା ଦେବି ଉପାଡି I ଦୟାମୟକୁ ଲୋଡି I

ଦାରିତ ହୋଇ I ଭିଡି I

ଦୀପ୍ତିମାନ ତୁ ହୁଅ I ନପାରେ ମୁଁ ଛାଡି I ରେ ଧନ I

ଦୟା ମୁଖେ ଚାହିଁ ଦିଅ ତୁ ଗଣ୍ଡେ ଚୁମ୍ବନ I ୩ I

 

ଦମ୍ଭୋଳିରୁ ଏ ଦାଉ ବଳି ଗଲାଣି ଏହୁ ସୁଜ୍ଞାନରେ I

ଦାଗ ନ ଲଗାଅ ଅଳି କରୁଛି ଅଳି ଧ୍ୟାନରେ I

ଦୟିନୀ ରେ ଧରେ ତୋର କର I

ଦକ୍କା ମୋ ଛଡା ଏବେ ସୁନାଗରିବର I

ଦଙ୍ଗା ତୋ ଚାହିଁ I ପଡି I

 

ଦଣ୍ଡାୟମାନ ହୋଇ I

ଦଣ୍ଡାଙ୍କ ମନ ବୋହି I ଦଣ୍ଡ ଦେଲୁନି ସହି I

ଦାରୁଣ ହୁଅ ନାହିଁ I ଦଗ୍ଧ କଲେ କିମ୍ପାଇଁ I ମୋ ଧନ I

ଦିଅ ପ୍ରେମଦାନ I ସନ୍ତୋଷ ରେ ଫେଡି ମାନ I ୪ I

 

ଦାମୋଦର ସ୍ନେହେ କରି ରାଧା ବୋଧ ହେବାପରି ଧ୍ୟାନରେ I

ଦୁଃସ୍ଥେ କହିବା କାଳେ ମୁ ନମି ସନ୍ନିଧାନରେ I

ଦୁଇଜଣଙ୍କ କରିଣ ଆଶ I

ଦଣ୍ଡବତ ସାଷ୍ଟାଙ୍ଗେ I

ଉଭା ବିହାରୀ ଦାସ I ଦୃଶ୍ୟ ନେତ୍ରରେ I ପଡି I

 

ବାମହସ୍ତରେ ଘଣ୍ଟି I ଆଳତି ଧୂପକାଠି I

ଦଖିଣ କରେ ପୂଜା I

ଦୁଇରୁପ ଚାହେଟି I ମନ୍ତ୍ର ଊଦ୍ମାରେ ପାଟୀ I ନେତ୍ର ନଯାଏ I ହେ ପ୍ରଭୁ I

ଦୀନଜନ ପରେ ଅପବର୍ଗ ଦିଅ ଦାନ I ୫ I

 

ରାଗ କାମୋଦୀ ତାଳ ଶାଠ ତାଳି I

ଧାତିକାରେ ସେ I ଧଇର୍ଯ୍ୟ ଦେଖାଇଣ ଦୂତିକା ଭାଷେ I ପଦ I

ଧାତବ୍ୟ କୃଷ୍ଣ ଅଇଲେ ତୋର ପାଶେ I

ଧ୍ୟେୟ ଅଟନ୍ତି ସେହି କହ ହରଷେ I ୧ I

ଧ୍ୱନି କରନ୍ତି ବଂଶୀ ତୋ ନାମ ଗାଇ ସେ I

ଧୀର ହୃଦୟ ହୋଇ ଭାଷ ଲାଳସେ I ୨ I

 

ଧର ଲଳିତ ଆମ୍ଭ ପ୍ରେମମୟ ସେ I

ଧୁମା ଧୂମ ହୋଇଲ ପ୍ରୀତି ବିବଶେ I

ଧୂପାୟିତ ହୋଇଣ ଆସିଲେ ପାଶେ I

ଧୁତ କର ସେ କଥା ବସାଅ ପାଶେ II

 

ଧୃତି କଥା ଦୂତିକା କହି ବିକାଶେ I

ଧ୍ର୍ରୀଗୁଣୀ ରାଧା ପ୍ରେମ ବନ୍ଧନ ଆଶେ I ୫ I

ଧିଟ କୃଷ୍ଣ ନ ଚାହେଁ କହିଲେ ଆଶେ I

ଧୀଶକ୍ତି ଦୁତୀ ସବୁଗୁଣ ଜାଣେ ସେ I ୬ I

 

ଧୀରେ ଗୋପିକା ଉକ୍ତି ଅଦଭୂତ ସେ I

ଧିଆଇ ବିହାରୀ ଦାସ ତା ଭାଷେ I ୭ I

 

ରାଗ ଆନନ୍ଦ ଭୈରବ I

ନବୀନା ଅନା I ନତ ପରା ହେଲେ କାହ୍ନା ସେ I ଘୋଷା I

ନମସ୍ୟ ତାହାକୁ ହେଜ I ନମନୀୟ ଦେବରାଜ I

ନମୁଚି ମୁଖ ସରୋଜ I ସଜନୀରେ I ନମିତ ହୋଇଣ ଭଜ I

ନମ୍ର ହୋଇଲେ କୃଷ୍ଣ ଆଜ I ନୟନ ବିଦ୍ ଦେବରାଜ I ନୟୋନସବ ପୁଞ୍ଜ I ପଡି I

 

ନେତ୍ର କରି ଥନ ଥନ I ନକ୍ତ ଦିବସେ ଭଜିଣ I

ନେତ୍ର କଟାକ୍ଷେ ଘେନ I ନଟକାର ରୂପରେ I

ନରଖିବେ ତୋର ମାନ I ନନ୍ଦକି ନନ୍ଦକ ନନ୍ଦିତ କରିବେ ତୋର ମନ I ୧ I

 

ନିୟମ ତୋର ଭାଙ୍ଗିବ Iନିୟାମକ ସେ ଜାଣିବ I

ନିଯୁକ୍ତ ନିଶ୍ଚେ ହୋଇବ I ସଜନିରେ I

ନିମଜ୍ଜି ତୁ ହେବୁ ଧନ I ନିମଜ୍ଜନରେ ତୋ ମନ I

ନିମନ୍ତ୍ରଣ କର I ନିପୀଡିତ ମାର ଶର I ପଡି I

 

ନିପୀଡକ ସେହି ଜନ I ନିପୀଡନ କରି ଘେନ I

ନିୟୋଗ ତାଙ୍କ ପାଇ I ନିଛାଟ ନିଧୁବନ I ନିଗ୍ରହ ସେହି ଦେଖ I

ନ ହୁଅ ବିରସ ମନ I ନିଦାନ, ନିର୍ଦ୍ଧିଷ୍ଟ,ନିର୍ଦେଷ୍ଟ ନିର୍ଦେଶ; ଭାଜି ଘେନ I ୨ I

 

ନିମଗ୍ନ ହୁଅ କୃଷ୍ଣରେ I ନିଅନ୍ତିତ ଛାଡ ତୁ ରେ I

ନିୟତି ସେ ତୋ ପକ୍ଷରେ I ସଜନିରେ I

ନିୟମ ରେ କର ଧରି I ନଭାବ ରେ ପ୍ରେମଗୋରି I

ନିଯୁକ୍ତ ମୁହିଁ ସିନା I ନକର ଧନ ଭାବନା I ପଡି I

 

ନିରନ୍ତରେ ତୋର ଆଶା I ନିଜମେ ତୋ ପାଇ ବସା I

ନିରେଖନ୍ତି ତୋ ରୂପକୁ I ନିଦ୍ରାଦୀ ଛାଡି ଯୋଷା I

ନିରେଖରେ ପ୍ରେମ ଆଶା I ନତ ହୋଇ କହି ଭାଷା I

ନିକେତ; ନିକୁଞ୍ଜ; ନିକୃତି;ବହି ମନା I ୩ I

 

ନିଗ୍ଧା ନୁହ ତୁ ରେ ବାଳି I ନିଘ୍ନ କରିବେ ସେ ଆଳି I

ନିତମ୍ବିନୀ ଏହା ଭାଳି I

ସଜନିରେ I ନୀୟମାନ ଛାଡ ଧନ I

ନିକାଶ ପ୍ରେମ ବିଧାନ I ନଟବର ସେ ଗୁଣ I

ନିମଜ୍ଜନ ହୋଇ ପୁଣ I ପଡି I

 

ଦୁତି ରାଧାଙ୍କୁ ଭାଷିଲା I ବିହାରୀ ଦାସ ରଚିଲା I ନିର୍ବୁଦ୍ଧି ହୋଇ କରି I

ନିବୃତ୍ତି କୁ ଭଜିଲା I ନିରନ୍ତରେ ସ୍ମରୁଛି I ନିଗମ ନନ୍ଦବଳା I

ନିରାଶ; ନିରୁକ୍ତ; ନିରୁକ୍ତି; ରେ ଏହା କହିଲା I ୪ I

 

ରାଗ ଆଶାବରୀ ତାଳ ଆଠତାଳି I

ପ୍ରିୟବାଦିନି ରେ ପାରୁ କେତେ ରସ ମୋହି I

ପରମ ପଦରେ ଚଢାଇଣ ପାରୁ ତଳକୁ ଖସାଇ I ଘୋଷା I

ପ୍ରୀତି ବିରୋଧିନୀ ପ୍ରୀତି ଦେବା ଦାନୀ I ସବୁଗୁଣେ ତତେ ଜଣା I

ପ୍ରସାରିତ କର କେତେ ମୁଁ କହିବି ସବୁ ବିଷୟେ ନିପୁଣା I ୧ I

 

ପ୍ରମିତ କରାଇ ପ୍ରସନ୍ନତା ଦେଇ I ପ୍ରମୋଦିତ କରିପାରୁ I

ପ୍ରଯୁକ୍ତ କରିଣ ପ୍ରୀତି ଚଖାଇଣ I ପ୍ରୟୋଜକ ତୁହି ଗୁରୁ I ୨ I

ପ୍ରଲୋଭ ଦେଖାଇ ପ୍ରବଚନ ବହି I ପ୍ରବଞ୍ଚକ ତୁହି ଧନ I

ପ୍ରଯୋକ୍ତା ହେବାର ପ୍ରଳାପ ଦେବାର I ସବୁଗୁଣେ ବିଚକ୍ଷଣ I ୩ I

 

ପ୍ରବୃତ୍ତିଜ୍ଞ ହୋଇ ଜାଣୁ ସବୁ ସହି I ପ୍ରଶଂସନୀୟ ତୋ ଗୁଣ I

ପ୍ରଶମନ କରି କହିଲୁ ନାଗରି I ଆଉ କି କହିବି ପୁଣ I ୪ I

ପ୍ରକାଶିଲେ ରାଧା ଦୂତିକା ଆଗରେ I ପ୍ରଯୁକ୍ତ ହେବ କି ଭାଳି I

ପ୍ରପାଦ ବିଷୟ ଜାଣି ପରିଚୟ I କରାଇବୁ ତୁ ଆଳି I ୫ I

 

ପରମବ୍ରହ୍ମ ଅଚ୍ୟୁତାନନ୍ଦ ସ୍ଵାମୀ I ରାଧା କୃଷ୍ଣ ପଡେ ଆଶ I

ପ୍ରକାଶ କରିଣ ଶରଣ ପଶୁଛି I ଅଧମ ବିହାରୀ ଦାସ I ୬ I

 

ରାଗ ଲଳିତ କାମୋଦୀ I ବିମ୍ବାଧର ଚଉତିଶା ବାଣୀରେ I

ଫିଟିଥିଲା ରାଧା ନିଧୁବନ Iଫଳ ନ ପାଇଲେ ଡାକି ଆଣ I

ଫଟାକପାଳରେ ଫଣ୍ଡି କରି ତହିଁ ଫଳଦ ମୁଁ ହେଉଥାଏ ଜାଣରେ I

ପ୍ରେମ ଗୋରି I ଫନ୍ଦା ଏହା ଦେଇଅଛ ସ୍ନେହ କରି I ୧ I

 

ଫର୍ଚା ତୁମ୍ଭ ତାଙ୍କ ସବୁ କଥା I ଫେଇ କରି ମୁଁ ହେଲିନି ଅଥା I

ଫଟାକପାଳରେ କଳଙ୍କିନୀ ବାଦ ପାଇବାକୁ ଲେଖିଛି ବିଧାତାରେ I

ପ୍ରେମ ଗୋରି I ଫଳ ପାଉଅଛି ଏହି ଅନୁସରି I ୨ I

 

ଫିରିୟାଦ ମତେ କରୁଥାଅ I ଫଳ ପାଇଣ ଆନନ୍ଦ ହୁଅ I

ଫଜିୟତ ପାଇଁ ଫେରୁଥାଏ ମୁହିଁ ପରିବାଦ ଦେଇ ପ୍ରାଣ ନିଅରେ I

ପ୍ରେମ ଗୋରି I ଫାଜଲ ଫାଜଲ କହି କରି I ୩ I

 

ଫାଉ କଥା କହି ବୁଝାଇବ I ଫାଣ୍ଟିବା କଥାରେ ଭ୍ରମୁ ଥିବି I

ଫାଶ ପକାଇଣ ନାନା ଫାନ୍ଦରେ ମୁଁ ଫେରି ପ୍ରେମପଦ ରଖାଇବି ରେ I

ପ୍ରେମ ଗୋରି I ପରୁଣା ହେବ ପ୍ରୀତି ଚାଖି କରି I ୪ I

 

ପୁଂସ ପୁଂସ କଥା ପୁଣି ହେବ Iଫାଙ୍କି ପାଇଲେ ଅନ୍ତର ଭାବ I

ଫରମାସ କରି ଫାଟିବା କଥାରେ ଦୁତିକା ଫଟ ଲଗାଉ ଥିବ ରେ I

ପ୍ରେମ ଗୋରି I ଫେରଫାର ରେ ପରିଶ୍ରମ ଧରି I ୫ I

 

ଫକାସି ଉଡୁଛି ଚାଳି ଚାଳି I ଫରୁଆରେ ରଖ ପ୍ରୀତି କଳି I

ଫଜିତ ହେବାକୁ ଇଜତ ଦେବାକୁ ଣ ରହେ ଦୂତିକା ଏହା ଭାଳି I

ରେ ପ୍ରେମ ଗୋରି I ଫଳ ଏଥର ଦେବି ମୁଁ ଯାଇ କରି I ୬ I

 

ଫଇସଲାକାରି ଦୁତି ତହିଁ I ଫଟ ଲଗାଇ ରାଧାଙ୍କୁ କହି I

କାଲି ସଙ୍ଗେ ଯିବି ଏ ପ୍ରେମାନୁରାଗ ବିହାରୀ ଦାସ ଗୀତରେ କହି I

ହେ ବଂଶୀଧାରି I ଫକିର ହୋଇ ରହେ ମୁଁ ଅନୁସରି I ୭ I

 

ରାଗ କେଦାର ତାଳ ତ୍ରିପଟା I

ବାନ୍ଧିବି କି ଦଶାରେ I ବିଚ୍ଛେଦ ପାଇଣ ଧନ ବିମନା ସେ ଆଶାରେ I ଘୋଷା I

ବିଚକ୍ଷଣା ତୁ ନବୀନା ମୋ ମନ ତୁ ବସା ଚେ I

ବିଶ୍ଵାସୀ ତୋ ପରି ଜଣେ କେ ଅଛି କି ଯୋଶାରେ I ୧ I

 

ବୋଲି ଦେଲେ ଗେଲେ ଭାଷି ରୋଷକୁ ଏ ଦଶାରେ I

ବାନ୍ଧିଣ ମୋ ମନ ତୁହି ଏହା ଚାହିଁ ରୁଷାରେ I ୨ I

ବଳି କରି ତୋହଠାରୁ କେ ଅଛି ଏ ରସା ରେ I

ବାଧ୍ୟ ତୋହଠାରେ ଧନ ବିଶ୍ଵାସେ ତୋ ଭାଷାରେ I ୩ I

 

ବୋଧିତ ହୁଅରେ ଧନ ଆଉ କି ଏ ଦଶାରେ I

ବୋଧିତବ୍ୟ କରାଇବି ବିଭସାକି ହସାରେ I ୪

ବାଜୁଥିବ ବଂଶୀସ୍ଵନ ଚାହିଁ ତୋହ ଆଶାରେ I

ବାଧକତା ଲଭି ଧନ ଥିବ କି ଏ ତୃଷାରେ I ୫ I

 

ବଳେ ଧରି ରାଧା କର ଦୁତି କହେ ଭାଷାରେ I

ବଳାଇଲେ କୃଷ୍ଣ ପ୍ରେମେ ଯିବାକୁ ସେ ଆଶାରେ I ୬ I

ବାଂଶରୀ ନାଦ ଶୁଣିଣ ପ୍ରବେଶିଲେ ବସାରେ I

ବିକଶିତ କୃଷ୍ଣମୁଖ ଚାହିଁ ମନ୍ଦହସାରେ I ୭ I

 

ବିକଳିତ ରାଧା ବହିଲେ କି ତହିଁ ଭୁଷାରେ I

ବିକଳେ କୃଷ୍ଣ କହନ୍ତି ପ୍ରେମମୟ ଭାଷାରେ I ୮ I

ବୋଧିଣ ଦୂତିକା ଦେଇ କହିଲେ ଏ ଆଶାରେ I

ବାଳା ମଣି ପାଇକରି କାଟ ଏହି ନିଶାରେ I ୯ I

 

ବିବେକୀ ଦୁତୀ ବୁଝାଇ ବାହୁଡିଲା ବସାରେ I

ବିହାରୀ ଦାସ କହିଲା ଦୀନ ହୀନ ଦଶାରେ I ୧୦ I

 

ଭ୍ରୂ ଭଙ୍ଗିମା ଠାଣି I ଭଜ ମାନିନି I

ଭବଜି ଭବଦୀୟ ମୁଁ ଭବ ଣ ଜାଣି I ଘୋଷା I

ଭବ୍ୟଦାୟକ ରମଣି I ଭରସି କହ ତୁ ବାଣୀ I

ଭାବିକ ଭାଷ ପୁଣି ତୁ ଭାବିନି I ପଡି I ଭାବିତ ସେ ହୋଇ ଧନ I

 

ଭସାଅ ପ୍ରୀତି ଦେଇଣ I ଭଲା ଜାଣୁ ଭଦ୍ରାସନ I

ଭିଡି ବସିଣ I ଭାଜିବା ଜାଣ I

ଭାଗ୍ୟରେ ପାଇଛ ରଖ ମାନ ରମଣୀ I ୧ I

 

ଭାଗ୍ୟରେ ଦେଖିଲା ନେତ୍ର I ଭଲା କନକ ସୁଗାତ୍ର I

ଭାବୁକ ଭାବନାରେ ତୁ ଭାବିତ I ପଡି I ଭବ୍ୟଦାୟକ ତୁ ବର I

ଭ୍ରମ ଜାତ ତୁ ନ କର I ଭିଡି ପକା ଗଳା ମୋର I

ଭିଡି ଚାହାନ୍ତ I ଭାବ ବହିତ I

ଭୂଷିଛି ମାର ଶର ଦିଅ ତାକୁ ହାଣି I ୨ I

 

ଭୂଷା ଭୁଷିତରେ ଉଭା I ଭଙ୍ଗିଛଟକ ପ୍ରତିଭା I

ଭଲା ବକ୍ଷୋଜର ଶୋଭା ତୋ ଠାଣି I ପଡି I

ଭାବିଣ ତୋର ବଦନ ଭୁଲି ଯିବେ ଯୋଗିଜନ I

ଭ୍ରମାଇବୁ ତାଙ୍କ ମନ I ଭୁଷୁଲିବା ଜାଣ I

ଭଲା ଧନ ଘେନ I ଭାବାର୍ଥେ ଭିଡିବାକୁ ମୋ ମନ ହେଲାଣି I ୩ I

 

ଭୁକ୍ତାଅ ତୋ ପ୍ରେମରସ I ଭୀଷଣ ଣ ରଖି ଲେଶ I

ଭିଡି ଚୁମ୍ବ ଗଣ୍ଡ ଦେଶେ ତୁ ଆଣି I ପଡି I

ଭୁକ୍ତି ଭୋଗୀ ମୁହିଁ କିନା I ଭାଷି ଟେକ ତୁ ଲପନା I

ଭାଷିଲେ ଶ୍ରୀକୃଷ୍ଣ କାହ୍ନା I ଭଜି ସେ କାମନା I

ଭିନ୍ନ ହୁଅନା I ଭିଦୁର ହୋଇ ରାଧା କର ନେଲେ ଟାଣି II

 

ଭଜିଲା ବିହାରୀ ଦାସ I ଭାବିଣ ସେ କୃଷ୍ଣରସ I

ଭୃତ୍ୟପୁଣେ ସେବି ଅଛି ସେ ପୁଣି I ପଡି I ଭାବିଣ ହୃଦେ ଧ୍ୟାନ I

ଭ୍ରମିଣ ସେ ଘୋର ବନ I ଭୁଲିଲାଣି ଆତ୍ମଜ୍ଞାନ I ଭୁତ ଭୁତ ଆପଣ I

ଭୃତ୍ୟକୁ ଚାହିଁଣ I ଭାବଗ୍ରାହୀ ଭାବଚାହିଁ ଭାବୁଛି ପୁଣି I ୫ I

 

ରାଗ ମାରୁତା ଆଠତାଳି I

ମତ୍ତ କାଶିନି ମଦ ମୁଞ୍ଚ ମଦନ ବାଣ ମଦୀୟ ବନ୍ଧୁ ନାହାରେ I ଘୋଷା I

ମାତି ବଳାଇ ଘେନ କହି ନନ୍ଦନନ୍ଦନ କୋଳେ ବସାଇ ତହିଁରେ I

ମନ ପ୍ରେମ ଚାହିଁଣ ଗଣ୍ଡେ ଚୁମ୍ବ ଦେଇଣ ମନସ୍କାମ ରସେ ଭାଷିଲେ ମଧୁଦ୍ଵିଷ I ୧ I

ମଲ୍ଲି କୁସୁମ ମସୃଣେ ପକାଇଣ ମଳୟ ଗନ୍ଧସାର ତହିଁରେ I

ମର୍ମ ଭେଦି ସେ ଶର ହୃଦେ ପୀଡା ସେ ପାଇ ମଧୁଜିତ ହୃଦୟ ତାସ୍ଥିରତା ବହି I ୨ I

 

ମର୍ଦ୍ଦି ତହିଁ ସେ ସ୍ଥାନ ଗାଢେ ଭିଡିଲେ ପୁଣ ମହାନନ୍ଦ ଧ୍ୟାଇଣ ରେ I

ମହାଶଯ୍ୟା ଉପରେ ବିବିଧ ବନ୍ଧେ ତହିଁ ପ୍ରେମେ ଉନ୍ମାଦ ବହି ଚିତ୍ତାନନ୍ଦ ଭାବକୁ I ୩ I

ମାରି ମଦନାଙ୍କୁଶ ପ୍ରେମେ ବିବଶ ହୋଇ ମର୍ମାନ୍ତିକ ସେ ହୋଇ ରେ I

ମହ୍ଲାଇ ରାଗ ସ୍ଵର ଜାତ ତହୁଁ ସେ କଲେ ମର୍ମ ଭେଦକ ହୋଇ ସ୍ନେହ ବିହ୍ୱଳେ ତହିଁ I ୪ I

 

ମଲ୍ଲଭୁସ୍ଥାନେ ରହି ତହିଁ ସୁଖ ସ୍ନେହରେ ଯାମିନୀ ଗଲା ପାଇରେ I

ମର୍ମାହତ ହୋଇଣ କାକ ଶବଦ ଶୁଣି ବିଚ୍ଛେଦ ଭାବ ଚାହିଁ କହନ୍ତି ବେଣୁପାଣି I ୫ I

ମଦଦ୍ଵି ରଦଗତି ମାର୍ତ୍ତଣ୍ଡ ଉଦେ ହେଲା ମଦନାବସ୍ଥା ନାହିଁ ରେ I

ମଦ ମୁଞ୍ଚ ଏଥର କହୁଛି ତାଲୋ ସଖି ଅବଗାହନ କରି ବସ ପ୍ରେମ ଚାହିଁ I ୬ I

 

ମଜ୍ଜାଇ ପ୍ରେମରସ ଦିବସ ଯେ ଚାହିଁ ବା ଭାବିତ ହୁଅ ନାହିଁ ରେ I

ମଥନ କରି ରାଧା ମନକୁ ବୁଝଇଣ କୃଷ୍ଣ ଅନ୍ତର ହେଲେ ମାର୍ଜନାକୁ ଧ୍ୟାଇ I ୭ I

ମଣି ଆପଣ ଈଶ ବିହାରୀ ଦାସ ଗଲା ସୁନୀର ତାଣି ତହିଁରେ I

ମନ୍ତ୍ର ଉଚ୍ଚାରି ତହିଁ ଷୋଡଶ ଉପଚାରେ ପୂଜାବିଧି କରେ ଭାବିତ ହୋଇ ତହିଁ I ୮ I

 

ରାଗ ଭୈରବୀ II

ଯଦୁ ସାଇଁ I ଯୋଗ ନିଦ୍ରା ସାରି ତହିଁ Iସେ I

ଯୋଗ ପାଇଁ ପ୍ରେମେ ବନ୍ଧା ହୋଇ ସେ I ଘୋଷା I

 

ଯୁବତି ରାଧାର କର ଧରି ସେ ଉଠାଇ I

ଯାପନ କଲା ସମୟ ରତି କ୍ଳାନ୍ତ ବହି I

ଯୋଗାଡ କରରେ ଧନ ଭୋଜନ ପାଇଁ I

ଯୁକ୍ତି କର ପ୍ରେମ ବହି ସେ I ୧ I

 

ଯାତ୍ରା କଲେ ରାଧାପୁର ଆଣି ସୁଧାସାର I

ଯୁକ୍ତି କଲେ ନାନା ପିଷ୍ଟ ଆଦି ସେ ପ୍ରଚୁର I

ଯଥା ସ୍ଵସ୍ଥାନ ସେ କଲେ ନିର୍ମାଣ ସେଠାରେ I

ଯତ୍ନକରି ଦିଶେ ତହିଁ ସେ I ୨ I

 

ଯତାତ୍ମ ହୃଦୟ ବହି କଲେ ଆମନ୍ତ୍ରଣ I

ଯଶୋଦା ନନ୍ଦନ ବିଜେକଲେ ତହିଁ ପୁଣି I

ଯତ୍ନ କିଞ୍ଚିତ ଭୋଜନେ ପ୍ରେମେ ହେଲେ ମଗ୍ନ I

ଯତ୍ନ ହୃଦେ ରାଧା ପାଇ ସେ I ୩ I

 

ଯତି ବ୍ରତ ଏହି ଧନ ଏହା ତୁହି ଜାଣ I

ଯାବକ୍ମୀବନ ଥିବ ପିଣ୍ଡରେ ପରାଣ I

ଯତ୍ନ କରିବୁରେ ଧନ ଯାଚନୀୟ ଘେନ I

ଯୁବତି ଯୋଗ ପ୍ରେମ ବହି ସେ ସେ I ୪ I

 

ଯେମନ୍ତହେଲେ ମୁଁ ତୋର ଅଟଇଁ କୋୟର I

ଜନେ ସମ୍ପାଦି ତୁ ରଖି କର ପରିକର I

ଯଥେଷ୍ଟ କାର୍ଯ୍ୟ କରିବି ଜାଣ ୟା ନିକର I

ଯୁକ୍ତଯାବ୍ୟ ଏକା ତୁହି ସେ I ୫ I

 

ଯୋଡ ଯୋଜିତ ହୋଇଣ ଥିବ ରାମା ଈଶ I

ଯୋଗାନ୍ତେ ନାମ ସେ ଥିବ ରାଧାକୃଷ୍ଣ ଭାଷ I

ଯୋଗୀ କୃଷ୍ଣ ରାଧାଙ୍କୁ ସେ କଲା ୟା ପ୍ରକାଶ I

ଯୋଗସାର ବ୍ରହ୍ମ ସେହି I ୬ I

 

ଯୋଗୀ ହୋଇ ଭ୍ରମୁ ତାଛି ମୁଁ ବିହାରୀ ଦାସ I

ଯୁଗଳ ରୂପଧ୍ୟାୟୀ ହୁଏ ଦିନ ଶେଷ I

ଯାଦୃକ ଜଣା ହେଲା ମୋର କଲି ମୁଁ ପ୍ରକାଶ I

ଯୁଗଳ ଚରଣ ଧ୍ୟାୟୀ ସେ I ୭ I

 

ରାଗ ମଲ୍ହାର ତାଳ ତ୍ରିପଟା I

ରମା ବିଳାସ I ରବି ଅସ୍ତ ହେବା ଜାଣି ଲଭିଲେ ଉଲ୍ଲାସ I ଝୁମ୍ପା I

ରସିକ ହୃଦୟେ ଭାଳି I ଦେଖିଲେ ସେ ଗୋଧୂଳି I

କାଳ ହେଲା ସନ୍ଧ୍ୟା ବାଳି I ଆସନ୍ତି ସଖିଏ ମିଳି I

ଲଳିତା, ଶ୍ରୀମତୀ,ରଙ୍ଗଦେବୀ, ଚନ୍ଦ୍ରାବତୀ I

ସୁଦେବିକା ଲୀଳାବତୀ I କୁନ୍ଦଲତା ଯମ୍ବୋବତୀ I

ତୁଙ୍ଗ ବିଦ୍ୟା ପ୍ରେମାବତୀ I ସମୁହେ ବହି ବାଦ୍ୟ ଉଲ୍ଲାସ II

 

ରବ ଶୁଭିଲା ସେକାଳେ I ରଙ୍ଗ ମୂର୍ତ୍ତି ଉଭା ହେଲେ I

ରମଣୀ ଆସି ମିଳିଲେ I ରଖି ବାଦ୍ୟ ନୀପ ମୂଳେ I ଝୁମ୍ପା I

କୃଷ୍ଣଙ୍କୁ ଦେଖି ସେ ଗୋରି I ଦଣ୍ଡ ପ୍ରଣିପାତ ହୋଇ I

କନକ ଥାଳୀ ପରେ I କର୍ପୂର ତହିଁ ଥୋଇ I

ଧୂପ ଦୀପ ନୈବେଦ୍ୟ ପ୍ରଥମେ କରି ତହିଁ I

ରାଗ ରାଗିଣୀ ସଙ୍ଗେ ବାଦ୍ୟ ନାଦ ବଜାଇ ଆଳତି କରୁଛନ୍ତି ସ୍ତୁତି କରି ପ୍ରକାଶ I ୨ I

 

ରାଗ ସ୍ଵର ମୁଖେ ଭାଷି I ରଖିଣ ଅଧରେ ବଂଶୀ I

ରଥାଟ୍ଟି ଶୋଭା ପ୍ରକାଶି I ରହସ୍ୟରେ ଅବିନାଶି I ଝୁମ୍ପା I

ଗାଇଲେ ସ୍ଵର ଉଚ୍ଚାରି I ରାଧିକା ଓ ରାସେଶ୍ଵରି I

ରାସେ ରସ ପ୍ରେମେ ଭରି I ରାସ ମଣ୍ଡପ ନିହାରି I

ରଙ୍ଗବତାର ଯେ ହରି I ରୂପ ରୂପକ ଧରି I

ରୂପେଣ ଏହିପରି ଦେଖ ଏ ପ୍ରେମେ ଭରି ହୋଇଣ ଉଲ୍ଲାସ I I

 

ରସପାଇ ଗୋପିଗଣ I ରାଗିଣୀ ବାଦ୍ୟ ସଙ୍ଗେଣ I

ଋକ୍ମିଣୀନାଥ ହେ ଶୁଣ I ରଖ ପ୍ରଭୁ ତାମ୍ଭମାନ I ଝୁମ୍ପା I

ରଙ୍ଗମଞ୍ଚି ଅଛୁ ଧରି I ରଙ୍ଗବତାର ନିହାରି I

ରଙ୍କୁଣି ଅରକ୍ଷନାରୀ I ରଙ୍ଗ ଣ ତାସେ ଆମ୍ଭଙ୍କୁ I

 

ପାଦେ ଅଛୁ ଅନୁସରି I ଭାବଗ୍ରାହୀ ହୋଇ କରି I

ରକ୍ଷକ ତୁମ୍ଭେ ମୁରାରି I ରକ୍ଷଣୀୟ ପାଇକରି I

ରକ୍ଷ ହୃଦୟେ ବିଚାରୀ I ଛାଡିଲୁଁ ପରିବାର I

ରକ୍ଷ ରକ୍ଷାକାରୀ I ରନ୍ଧିତ ହୁଅଈଶ ବାଗୀଶ I ୪ I

 

ରାଗ ସ୍ଵର ଜଣା ନାହିଁ I ରୋଚିଞ୍ଜୁ ରୋଚ୍ୟକୁ ଚାହିଁ I

ରହିଅଛୁଁ ଗୋପଗୋଇ I ରୋଷଶଙ୍କୁ ତଡିଦେଇ I ଝୁମ୍ପା I

ରାଗିଣି ସ୍ଵରକୁ ଗାଇ I ନାଚୁଛୁଁ ଉନ୍ମତ୍ତ ହୋଇ I

ବୀଣାଦି ବାଦ୍ୟ ବଜାଇ I ତୁମ୍ଭ ପ୍ରେମକୁ ସେ ଧ୍ୟାୟି I

ଭାଷୁଛୁ ଆନନ୍ଦ ବହି I ତାନ ମାନଧ୍ୟାନ ଦେଇ I

ଭ୍ରାନ୍ତି ହାର ଦୟା ନିଧି I ଅଶେଷ ମହିମା ଧରି ଦିନେଶ I ୫ I

 

ରାବ ଗୋପିଙ୍କର ଶୁଣି I ରକ୍ତ ହୋଇ ବେଣୁପାଣି I

ରଙ୍ଗଶେଷ ହେବଜାଣି I ରଜନୀ ଆସି ହେଲାଣି I ଝୁମ୍ପା I

ରାଇଲେ ଗୋପିଙ୍କି ପୁଣି I ରହଗୋ ପ୍ରେମ ଭାବିନୀ I

ରହସ୍ୟ ଏ ପ୍ରେମମୟ I ତୁମ୍ଭ ଅନୁଚର ଜାଣି I

ତୁମ୍ଭେ ମୋ ହୃଦୟେ ବସ I ତୁମ୍ଭକୁ ମୁଁ କରି ଆଶ I

ତୁମ୍ଭ ପ୍ରେମେ ହେଲି ବଶ I ନୋହିବ ଧନ ବିରସ I

ଅଧମଗୁଣେ କହେ ଦୀନ ଏ ବିହାରୀ ଦାସ I ୬ I

 

କାମୋଦୀ I

ଲଜ୍ଜିତ ହୁଅ କାହିଁକି I ହେ ଲଳିତେ I

ଲଜ୍ଜାକୁ ଏଡିଲେ ଲବ୍ଧକୁ ଭାବିଲେ ଲଭିବା ଲୟ ଦେଇକି I ଘୋଷା I

ଲପନ ଟେକ କୃଷ୍ଣ ମୁଖ ଦେଖ ଲପିତ କର ତହିଁକି I

ଲଙ୍ଘିଯିବା ଯେବେ ପ୍ରେମର ଅଭାବେ ଯାଅ ସେ ଲଘୁ ପାଇକି I ୧ I

 

ଲାକ୍ଷଣା ଶ୍ରୀମତୀ ରଙ୍ଗ ଦେବୀ ପ୍ରତି ହାସ୍ୟ ବଚନେ କହନ୍ତି I

ଲକ୍ଷ୍ୟକରି ତାକୁ ଲଳିତା କଥାକୁ ଲଗାଏ ଲଟ ଯହିଁ କି II

ଲଭ୍ୟ କି ପାଇବ ରାଧା ଯେବେ ଥିବ ଆନ ଲୋଡିବେ କାହିଁକି I

ଲବ୍ଧ ନାହିଁ ଏଥି କରୁ ଆମ୍ଭେ ଗତି ଲଜ୍ଜିତ କଥା ଏହିକି I ୩ I

 

ଲସତ୍ ହାସ୍ୟ ମୁଖୀ ଚନ୍ଦ୍ରାବତୀ ଦେଖି କୁନ୍ଦଲତା ଜାଣ ଏକି I

ଲଳିତରେ ଲୟ ହୋଇ ଗୋପିଚୟ ଭ୍ରମୁଛନ୍ତି ସେ କାହିଁକି I ୪ I

ଲବଣି ସେ ଚୋରା ସେହି କାହ୍ନୁପରା କୁଳବତୀ ବାସ ରଖି I

ଲାଗିକରି ବଂଶୀ ବାଦ୍ୟେ ମାନ ଧ୍ଵନ୍ସି ବିବସ୍ତ୍ର କଲା ଏହିକି I ୫ I

 

ଲମ୍ବଳ ସେଗୀର ଶୁଣିଣ ଅଗର କୁଟ ଲଗାଇ ତହିଁ କି I

ଲଳନ ସେ କରି ନାନା ରୂପ ଧରି ଗୋପୀ ଏକେ କୃଷ୍ଣ ଦେଖି I ୬ I

ଲଗାଇଲେ ଭାବ ହୋଇ ପ୍ରେମୋଭବ ଗହନ ନିକୁଞ୍ଜେ ରଖି I

ଲଟକୁ ରଚିଲେ ବାସ ଉଡାଇଲେ ପ୍ରେମମୟ ମୂର୍ତ୍ତି ରଖି I ୭ I

 

ଲଭିବାକୁ ଇଚ୍ଛା ସେହି ପ୍ରେମ ଭିକ୍ଷା ମାଗୁଛି ସେ ଡାକି ଡାକି I

ଲଭିଣ ସେ ହ୍ରାସ ପାଇ ତୁମ୍ଭ ଆଶ ବିହାରୀ ଦାସ ସେ ଟାକି I ୮ I

 

ବଂଶୀଧର ବାରେ ହେଲେ ବିଚାର ନାଗର I ଘୋଷା I

ବଳାଇ ପ୍ରୀତିକି କଲ ପ୍ରେମେ ବନ୍ଦି I ବଂଶକୁଳ ଏଡିଛନ୍ଦେ ହେଲୁ ବାନ୍ଧ I

ବଚନ ବଦ୍ଧ ବୋଲି ଯେ ହେଲୁ ଛନ୍ଦି I ବଞ୍ଚକ ହେଲା ନାଗର I ୧ I

 

ବଖାଣିଲେ ଗୁଣ ତୁମ୍ଭ ଯେତେ ଯେତେ I ବିରକ୍ତ ହେବ ହେ ପ୍ରଭୁ ଘେନ ଚିତ୍ତେ I

ବକ୍ରୋକ୍ତିରେ ଆଣି ରଖି ବନ ଗତେ I ହୋଇଲକି ବସ୍ତ୍ରଚୋର II

ବିଟଧୃତ ଗୁରୁ ହୋଇଲ ହେ ହରି I ବିଟାଳିୟା କଲ ଯେତେ ଗୋପନାରୀ I

ବିଡମ୍ବନ ତୁମ୍ଭେ ବିଡମ୍ବନା କରି I ବିଜି ଗୀଷାକୁ ପ୍ରଚାର I ୩ I

 

ବିଚ୍ଛିନ୍ନ ନ କର ବିତରଣ କର I ବିଦଗ୍ଧ ହୋଇ ଦିଅ ହେ ଅମ୍ବର I

ବିଦ୍ୟମାନ ଦାସୀ ତାଟୁ ଯେ ତୁମ୍ଭର I ବିଘଟିତ ୟା କି କର I ୪ I

ବାଣୀ ଶୁଣି ହସି ସେ ନଟ ନାଗର I ବିଚିତ୍ର ବୁଧିକି କରୁଛ ପ୍ରଚାର I

ବିଚେତନ ହୋଇ ଛାଡିଲ ଅମ୍ବର I ବିଘ୍ନ ରଖ କାହା ପର I ୫ I

 

ବିଚ୍ୟୁତ ବାସ କଲୁ ଆମ୍ଭେ କିସ I ବିଖ୍ୟାତି ପ୍ରକାଶ ଆରେ ରାମାଈଶ I

ବିକଳ ମନା ସେ କାହିଁକି ପ୍ରକାଶ I ପ୍ରଭୁଙ୍କୁ ଯୋଡ ସେ କର I ୬ I

ବାହ୍ୟ ଜ୍ଞାନ ଆମ୍ଭେ ନ ଜାଣୁ କେ ପ୍ରଭୁ I ବିକ୍ରମ ପୁରୁଷ ତୁମ୍ଭେ ଆମ୍ଭ ସବୁ I

ବିଚାର କରି ଯୋଡୁଛୁ ଆହେ ପ୍ରଭୁ I ବିକାଶ ଦୟା ତୁମ୍ଭର I ୭ I

 

ବାରିଜ ମୁଖୀ ମୁଖକୁ ଚାହିଁ ହରି I ବାରେ ଅନାଇଲେ ଉଲଗ୍ନ ସେ ନାରୀ I

ବାଙ୍କେ ବଜାଇଲେ ବଂଶୀ ନାଦ କରି I ବସନ ଦିଶେ କଟିର I ୮ I

ବାଳୀ ଭାଳି ହେଲେ ତହିଁ ଆଚମ୍ବିତ I ବାସ କଟିରେ କାହୁଁ ସେ ବିଖ୍ୟାତ I

ବାସୁଦେବ ସାକ୍ଷାତେ ଏହି ଅଚ୍ୟୁତ I ବିହାରୀ ଦାସ କିଙ୍କର I ୯ I

 

ଶ୍ୟାମ ପାଇଁ ଏଡେ ମାନ I ନ ଦେଖିଲେ ରହେ କି ପ୍ରାଣ ଲୋ I ଘୋଷା I

ଶିରୋଧାର୍ଯ୍ୟ କର ହୁଅ ସେ କିଙ୍କର ଶିରୋମଣି କୃଷ୍ଣ ଏହା I

ଶକ୍ଟା ସୁରାଦି ସେ ଯେତେକ ମାଇଲେ ବାଳ କାଳେ ବୁଝ ତାହା ଲୋ I ୧ I

 

ଶଶିମୁଖୀ ପୁତନା ଆସି ଥିଲା କି କଲେ ସେ ନନ୍ଦ ନାହା I

ଶ୍ୟାନ୍ତିପନି ସୁତ ଆଣିଲେ ତ୍ଵରିତ ଶମନ ପୁରରୁ ଯାହା ଲୋ I ୨ I

ସୁନାସୀର ସଙ୍ଗେ ବିବାଦ ରଚିଲେ ଗୋବର୍ଦ୍ଧନ ଟେକି ଯାହା ଲୋ I

ଶୁଭ କର ସଦା କାଳେ ସେ ଆମ୍ଭର ଜାଣିଛତ ବନ୍ଧୁ ତାହା ଲୋ I ୩ I

 

ଶୁଣି ଅଛି ସହି ବୁଝ ହୃଦେ ଧ୍ୟାୟି ଯଶୋଦା ଦେଖିଲେ ଯାହା I

ଶେଷ ଅଶେଷ ତ୍ରିପୁର ଦୃଶ୍ୟ ହେଲା କହି ହୁଏ ନାହିଁ ତାହା ଲୋ I ୪ I

ଶ୍ୟାମଳ ମୂରତି ଶୋଧନ ଯା କୀର୍ତ୍ତି ଶାସ୍ତ୍ରୀୟ ପୁରୁଷ ଏହା I

ଶାସିତ କର ତା ଆମ୍ଭ ମୋକ୍ଷଦାତା ପରମବ୍ରହ୍ମ ରୂପ ତାହା ଲୋ I ୫ I

 

ସବୁ ଏହା ଛାଡି ତାଙ୍କ ପାଦେ ପଡି ନାହିଁ ତାଙ୍କ ବିନୁ ଆନ I

ଶ୍ରୀମତିର ବାଣୀ ସଖିଗଣ ଶୁଣି ଭଜିଣ ତହିଁ ସୁଜ୍ଞାନ ଲୋ I ୬ I

ସଦାକାଳେ ଦୋଷୀ ହୋଇ କରି ଭାଷି ରଖି ତାଙ୍କ ପାଦେ ଧ୍ୟାନ I

ସର୍ବେଶ୍ଵର ଈଶ ପାଦେ ରଖେ ଆଶ ବିହାରୀ ଦାସ ଅଜ୍ଞାନ ଲୋ I ୭ I

 

ରାଗ ଆଶାବରୀ ତାଳ ଝୁଲା I

ଷଡଙ୍ଗବିହ ଇଶ୍ଵର ପାଦ ଭଜିଣ ଖଣ୍ଡିବା ଏ ଭବଖେଦ I ଘୋଷା I

ଷଡଙ୍ଗ ସହିତରେ ଧରି I ଷଡଦର୍ଶନେ ମୁରାରି I

ଷଡଗୁଣ ବହି ଧ୍ୟାୟିଥିବା ତହିଁ ଭୃତ୍ୟପଣେ ଥାଇ ସେ ତତ୍ଵବୋଧ I ୧ I

 

ଷୋଡଶୋପଚାର ନିତି I ଷୋଡଶାଙ୍ଗ ଧୂପ ଆଳତି I

ଷୋଡଶକ ଦେଇ ତାଙ୍କ ଗୁଣ ଗାଇ ଜ୍ଞାନକୁଠାରେ ମାୟାଚକ୍ର ଚ୍ଛେଦ I ୨ I

ଷିଡ୍ଗଭାବ ଅଛିସନ୍ତତେ I ଷାଡଗୁଣ୍ୟ ଭାବ ନିରତେ I

ଷଡଭିଜ୍ଞ ଚାହିଁ ଆନନ୍ଦେ ସେ ରହି ଭାବିଲେ ଜାଣିବ ତହିଁର ଭେଦ I ୩ I

 

ଷଡବର୍ଗକୁ ସେ ଛାଡ I ଷଡ ଦର୍ଶନକୁ ଲୋଡ I

ଷଟ୍ କର୍ମ ଧରିବ ତେବେ ସେ ପାଇବ ଖଣ୍ଡିବ ମାୟାଭାବ ବିଷାଦ II

ଷଟ୍ ପ୍ରଜ୍ଞାଭାବରେ ରହି I ଷଡଦର୍ଶନ ବୋଧାତ୍ମ ହୁଅ I

ଷଟ ତନ୍ତ୍ର ସେ ବୋଧ କରାଇ ପ୍ରମୋଦ ଲଳିତା କହିଲେ ଏ ତବ୍ତବୋଧ I ୫ I

 

ଷଡ ଗୁଣ ସଖୀ ବହିଲେ I ଷଡଭୂଜ ହୃଦେ ଧଇଲେ I

ଷଡୂଷଣ ଖୋଜି ଷଠିଘର ହେଜି ବିହାରୀ ଦାସ ହୋଇଲା ନିବୋଧ I ୬ I

 

ସଶକ୍ମ ହୁଅରେ ବାଳି I ସଂଳାପ ହୃଦୟେ ଭାଳି I

ସଂଶୋଧନ ହୋଇ ଚାଲ ଦେଖ ସଂଶୋଧକ ସ୍ଥଳୀ I ଘୋଷା I

ସଂସ୍କାର ହେବାର ପାଇଁ I ସଂଶ୍ରୟ କର କହ୍ନାଇ I

ସଂଶ୍ରବ କର ସଂଶ୍ରୁତ I ସଂଶ୍ରିତ ହେବାର ପାଇଁ I ୧ I

 

ସଂସୃଷ୍ଟ ସଂସୃଷ୍ଟି ଚାହିଁ I ସଂସିଦ୍ଧ ହେବ ସେ ଯାଇଁ I

ସଂସର୍ଗ ସଂସାର ମେଳେ I ସଂସାରୀ ହୋଇଣ ରହି I ୨ I

ସଂଲଗ୍ନ ସଂଯୁକ୍ତ ଧରି I ଚାହିଁ ଥିବା ଗିରିଧାରୀ I

ସମାଧି ଯୋଗ ଧଇଲେଁ I ସକଳ ବ୍ରଜନାଗରୀ I ୩ I

 

ସଂହିତା ଧର୍ମକୁ ଚାହିଁ I ସ୍ତୁତି କରିବା ସେ ଯାଇଁ I

ସକଳ ପୂଜା ସାମଗ୍ରୀ I ଧରି ଚଳନ୍ତି ସେ ତହିଁ I ୪ I

ସଂଯତାତ୍ମା ତା ଜାଣିଲେ I ଚତୁର୍ଭୁଜ ମୂର୍ତ୍ତି ହେଲେ I

ସାକ୍ଷାତେ ତାହା ଦେଖିଲେ I ସେ ସକଳେ ଭବି ହୋଇ I ୫ I

 

ସୁଗମ ସୂଚାରୁ ଚାହିଁ I ଦେଖି ସର୍ବ ଗୋପ ଗୋଇ I

ସୁଗନ୍ଧ ଦ୍ରବ୍ୟ ସହିତେ I ସୁମନେ ପୂଜା କରାଇ I ୬ I

ସାମଗ୍ରୀ ସୁଧା ଭୋଜନ I କରାଇଲେ ସେହି ସ୍ଥାନ I

ସୂଚାରୁ ସୁଗନ୍ଧ ଜଳେ I ଦେଲେ ଶ୍ରୀମୁଖକୁ ଧୋଇ I ୭ I

 

ଶାକ୍ତିକ ଧର୍ମକୁ ଧରି I ପ୍ରଣିପାତ ହୋଇକରି I

ସାଜିଲେ ବୀଣା ମୃଦଙ୍ଗ I ତାଳ ମର୍ଦ୍ଦଳ ଖଞ୍ଜରୀ I ୮ I

ସାମବେଦର ଗାନରେ I ଉଚ୍ଚରିଲେ ରାଗ ସ୍ଵରେ I

ସାନନ୍ଦେ ତହିଁ ନାଚନ୍ତି I ବାଦ୍ୟନାଦେ ଭୋଳ ହୋଇ I ୯ I

 

ସୁରଲୋକେ ତା ଚାହିଁଲେ I କୁସୁମକୁ ବୃଷ୍ଟି କଲେ I

ଶବ୍ଦ କଲେ ଜୟ ଜୟ I ଯଦୁପତି ଗୋପ ଗୋଇ I ୧୦ I

ସେହି ସ୍ଥାନର ଯେ ଧୁଳି I ହୃଦୟେ ହେବାକୁ ବୋଳି I

ସାଷ୍ଟାଙ୍ଗ ପ୍ରଣିପାତରେ I ବିହାରୀ ଦାସ ରହଇ I ୧୧ I

 

ରାଗ ଆଶାବରୀ I

ହିତାର୍ଥୀ ହିତୈଷୀ ହୋଇ ହରିକୀର୍ତ୍ତନ ଗୋପିଙ୍କ ମତି I ଘୋଷା I

ହୋଇ ସଜ ସେ ଗୋପି ଗୋଇ I ହୃଦେ କୃଷ୍ଣ ଛବିକି ଧ୍ୟାୟି I

ହାରାଦି ଯୋଗାଡ କର ସର୍ବ ଗୋଇ ଲଳିତା କହନ୍ତି ଗୋପିଙ୍କ କତି I ୧ I

ହେମଶଙ୍ଖ ରୂପ ଚାହିଁବା I ହୃଦୟେଶ ବୋଲି ଧ୍ୟାୟିବା I

ହୃଦଗତି ବିଷୟ ସେ ମୋକ୍ଷ ଭାବିବା ରହିଥିବା ଆମ୍ଭେ ତାଙ୍କ କତି I ୨ I

 

ହୃଷ୍ଟ ରୋମା ହୋଇଣ ଗୋଇ I ହେତୁ ସବୁ ହୃଦୟେ ବହି I

ହୃଦ୍ୟତାଭାବରେ କୃଷ୍ଣପରେ ଗଲେ ବାଦ୍ୟନାଦ ବୋହି ସେ ପ୍ରେମ ମୂର୍ତ୍ତ I ୩ I

ହରିକୀର୍ତ୍ତନ ସେ ଯେ କରି ହର୍ଷିତେ ଚାହିଁଲେ ମୁରାରି I

ହାହା ସ୍ଵର କରି ପାଦେ ପଡିଲେ ଦେଖି ଉଠାବନ୍ତି ସେ ଯୋଗମୂର୍ତ୍ତ I ୪ I

 

ହର ବ୍ରହ୍ମାଦି ଯେ ଦେବତା I ହର୍ଷିତେ ଦେଖିଲେ ବ୍ୟବସ୍ଥା I

ହାହା ହୁହୁଙ୍କାର ଗାନ୍ଧର୍ବ ସ୍ଵରରେ ଅମର ପୁରରୁ ସ୍ତୁତି କରନ୍ତି I ୫ I

ହାରିତ ହେଲୁ ଯେ ୟା ଦେଖି I ହୃଷୀକେଶ ସବୁ ଜାଣ କି I

ଦୁଷ୍ଟଚିତ୍ତ ହୋଇ ପଦ୍ମଯୋନି କହି ବେଦ ବାଦନରେ ସ୍ତୁତି କରନ୍ତି I ୬ I

 

ହୃଦେ ଧ୍ୟାୟି ସେ କାଳ ଶୋଭା I ହାତ ଯୋଡି ହୁଏ ମୁଁ ଉଭା I

ହୃଦୟ ମୋହର ପୁଲକ ହେଉଛି ବିହାରୀ ଦାସ ମୁଁ ସେ ଭାବଚିନ୍ତି I ୭ I

 

ରାଗ ନାମ ମରୁଆ ଆଡତାଳି I

କ୍ଷୋଭକୁ ଦୂର କର ରେ I କ୍ଷିତୀଶ ଭଜ I ଆଜ ନାଗରୀ ରାଜରେ I ଘୋଷା I

କ୍ଷମା ମୂର୍ତ୍ତି ଏହି ତ I କ୍ଷୟ କର ଦୁର୍ଗତ I କ୍ଷମାଶୀଳ ତାହିତ I ପଡି I

 

କ୍ଷରିତ ଅମୀୟ I ଖ୍ୟାତ ହୃଦୟ I କ୍ଷମାନିଧି ଚାହିଁ I

କ୍ଷାନ୍ତ ଏବେ ହୁଅ I କ୍ଷୋଭନାଶକ I କ୍ଷିତି ପରିଚୟ I

କ୍ଷମାନିଧି ସେତ I ଖ୍ୟାତ ହୃଦୟ I ୧ I

 

ଖ୍ୟାତ ଗଙ୍ଗା ପାଦରୁ I ଖ୍ୟାତ ନୀର ସୁଚାରୁ I

କ୍ଷିତିଜ କର୍ମ ବଶରୁ I ପଡି I କ୍ଷୟ କରିବାର I

ଖ୍ୟାତ ସଂସାର I କ୍ଷେପି ଭକ୍ତ ହୃଦ I କ୍ଷରିତ ତ୍ରିପୁର I

କ୍ଷମା ପ୍ରଚର I କ୍ଷାନ୍ତି କରି ଦୂର I କ୍ଷୋଭ ଛାଡି ସେ I

ଗୋପି ପ୍ରେମେ ଉନ୍ମତ୍ତ I ୨ I

 

କ୍ଷିତି ଚକ୍ର ନାଶନ I ଖ୍ୟାତ ତ୍ରିଭୁବନ I କ୍ଷୋଭଅରି ନାଶନ I ପଡି I

ଖ୍ୟାତ ଗୋପୀ ହୃଦ I କ୍ଷେମ ଅସୋଦ I କ୍ଷତ୍ରି ଧ୍ୟାୟି ସହି I

କ୍ଷତ୍ରଜ୍ଞରେ ବୋଧ I କ୍ଷମଙ୍କର ସେ I କ୍ଷ୍ଵେଳିତରେ ସିଦ୍ଧ I

କ୍ଷମା ବାନ ହୋଇ I ତହିଁ ହେଲେ ଭାବିତ I ୩ I

 

କ୍ଷେପ ଧାରଣ ହୋଇ I କ୍ଷୁଦ୍ରଜୀବ ଯେ ମୁହିଁ I

କ୍ଷତ୍ରତନ୍ତ୍ର ନ ଚାହିଁ I ପଡି I ଖ୍ୟାତି କଲି ଏହା I

କ୍ଷିତିରେ ତାହା I କ୍ଷପିବ ହୃଦୟେ କ୍ଷୋଭ ମୋର ଯାହା I

କ୍ଷାନ୍ତ ହେଲି ମୁହିଁ I କ୍ଷେପଣ ଏହା I କ୍ଷତ୍ରପତି ଗଣ I

କ୍ଷମା ମାଗେ ତାହା I ବୁଧେ ଘେନି ଚିତ୍ତ I ୪ I

 

କ୍ଷିତି ଉତ୍କଳ ସାର I ଖ୍ୟାତ ସମ୍ବଲପୁର I

କ୍ଷିତୀଶ ଭଜୀ ସାର I ପଡି I କ୍ଷୁଦ୍ର ମୋର ସ୍ଥଳ I

ଖ୍ୟାତ ଗୋପାଳ I କ୍ଷୋଭ ପାଇ ମୁହିଁ I

କ୍ଷୟ କଲି କାଳ I ଖ୍ୟାତ ଏ ଗୀର I କ୍ଷତ୍ରପତି ଜାଲ I

ଖ୍ୟାତି କରାଏ I ବିହାରୀ ଦାସ ଚିତ୍ତ I ୫ I